Latest Odisha News

ବିଧାନସଭା ଅଚଳ…ଏଥର କଟିବ ଦରମା !

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ହୋହଲ୍ଲା, ନାରାବାଜି । ଗୃହ ବାରମ୍ବାର ମୁଲତବି । ଗତ ଦୁଇ ଦିନ ହେଲା ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାରେ ବିଧାନସଭାରେ ତୁମ୍ବିତୋଫାନ କରୁଛି ବିଜେଡି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କଲେ, ଦ୍ବିତୀୟ ଦିନ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ। ଆଜି ତୃତୀୟ ଦିନରେ ବି ଚାଲିପାରୁନି ଗୃହ । ବିଧାନସଭା ଓ୍ବେଲରେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି ବିରୋଧୀ । ଏଏସଓଙ୍କୁ ମାଡ ଘଟଣାରେ ଓଡିଆ ଅସ୍ମିତା କଥା ଉଠାଇ ବିରୋଧ ପ୍ରଦର୍ଶନ କରିଛି ବିଜେଡି ତ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିଛି କଂଗ୍ରେସ । ଦିନ ପରେ ଦିନ ବିଧାନସଭା ଚାଲି ପାରୁନଥିବା ବେଳେ ପ୍ରଶ୍ନ ଉଠୁଛି, ଏଥର ଗୃହ ଅଚଳ ହେଲେ ବିଧାୟକଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେବେ କି ବାଚସ୍ପତି?

ଶକ୍ତ ହେବେ କି ସୁରମା?

ଗତ ବିଜେଡି ସରକାରରେ ବିଧାନସଭା କାର୍ଯ୍ୟଦିବସ ଥାଇ ବାରମ୍ବାର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରାଯାଉଥିଲା। ବିରୋଧୀ କୌଣସି ପ୍ରସଙ୍ଗରେ ମୁହଁ ଖୋଲିବା ମାତ୍ରେ ଗୃହ ମୁଲତବି ହେଉଥିଲା । ନୂଆ ସରକାରରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ବିଜେପି ବିରୋଧୀ ଆସନରେ ରହିଥିବା ବେଳେ ଗୃହ ଅଚଳ ହେଲେ ସଦସ୍ୟଙ୍କ ଦରମା କାଟ ପାଇଁ କହୁଥିଲା। ଏବେ କ୍ଷମତାରେ ରହିଛି ବିଜେପି । ତେଣୁ ବିଧାନସଭା ଅଚଳାବସ୍ଥା ଦୂର କରିବାକୁ ଶକ୍ତ ପଦକ୍ଷେପ ନେବେ କି ବାଚସ୍ପତି ସୁରମା ପାଢୀ? ଗୃହ ଅଚଳ ରହିଲେ ବିଧାୟକଙ୍କ ଦରମା କାଟିବାକୁ ନିର୍ଦ୍ଦେଶ ଦେବେ କି?

ବିଧାନସଭାରେ ବିତର୍କ କେବେ?

ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା ଅଚଳ ହେବାର ପରମ୍ପରା ଏବେ ନୁହେଁ, ବିଜେଡି ସରକାର ସମୟରୁ ଚାଲିଆସୁଛି । ଲୋକଙ୍କ ସମସ୍ୟା ଉଠିପାରୁନି । ରାଜ୍ୟ ଶାସନ ବ୍ୟବସ୍ଥା ସଂପର୍କରେ ହେଉ କି ସ୍ଥାନୀୟ ସମସ୍ୟା, ବିଧାନସଭା ବିତର୍କରେ ଭାଗ ନେବା ସହ ନିଜ ଅଞ୍ଚଳର ପ୍ରତିନିଧି ଭାବେ ସ୍ବର ପାଲଟନ୍ତି ବିଧାୟକ । ଲୋକଙ୍କ ପ୍ରତିନିଧି ଭାବେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିବେ, ବିଭିନ୍ନ ପ୍ରସଙ୍ଗ ଉଠାଇବେ, ଆବଶ୍ୟକସ୍ଥଳରେ ବିରୋଧ ବି କରିବେ । ସୁସ୍ଥ ଗଣତନ୍ତ୍ର ପାଇଁ ବିଧାନସଭାରେ ବିତର୍କ ଜରୁରୀ । ହେଲେ ଗତ କିଛି ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

ବିଜେଡି ସରକାରରେ କମ୍ ଦିନର ରେକର୍ଡ

ନବୀନ ସରକାରଙ୍କ ପଞ୍ଚମ ପାଳିରେ ଅଧିବେଶନର ଅବଧି କୌଣସି କ୍ୟାଲେଣ୍ଡର ବର୍ଷରେ ବି ୬୦ଦିନ ଚାଲିପାରିନଥିଲା। ଏପରିକି ୨୦୦୦ ମସିହାରେ ରାଜ୍ୟରେ ବିଜେଡି ସରକାର ଆସିବା ପରଠୁ ବିଧାନସଭା ମାତ୍ର ୩ଥର ଅର୍ଥାତ ୨୦୦୬, ୨୦୦୯ ଓ ୨୦୧୨ ବର୍ଷରେ ଅଧିବେଶନ ୬୦ଦିନ ବସିପାରିଥିଲା । ୨୦୨୨ରେ ତ ମାତ୍ର ୩୭ଦିନ ଚାଲି ପାରିଥିଲା ଗୃହ। ବିଧାନସଭା ପ୍ରତିବର୍ଷ ଅତିକମରେ ୬୦ଦିନ ବସିବାର ନିୟମ ରହିଥିବା ବେଳେ ବିଜେଡି ସରକାର ନିଜକୁ ସୁହାଇବା ଭଳି ଏହି ଅବଧିକୁ ହ୍ରାସ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନଥିଲା ।

ପୂର୍ବରୁ ବି ହୋଇଥିଲା ଲାଗୁ

ପୂର୍ବତନ ବାଚସ୍ପତି ସ୍ବର୍ଗତ ମହେଶ୍ବର ମହାନ୍ତି କାମ ନକଲେ ଦରମା ବନ୍ଦ ନିୟମ ନିଜ ପାଇଁ ଲାଗୁ କରିଥିଲେ । ଅନ୍ୟ ବିଧାୟକଙ୍କୁ ବି ସମାନ ନିୟମ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ଲଗାତର ୧୫ଦିନ ଧରି ଚାଲିପାରିନଥିଲା ବିଧାନସଭା। ଶିଳ୍ପସଂସ୍ଥା ଦ୍ବାରା ହୀରାକୁଦ ପାଣି ବ୍ୟବହାର ବିତର୍କ ନେଇ ଅଚଳାବସ୍ଥା ଲାଗିରହିଥିଲା । ସେହିପରି ବାଚସ୍ପତିଙ୍କ ଉପରକୁ ଇୟରଫୋନ୍ ଫୋପାଡିବା ଘଟଣାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା । ବିଧାନସଭାରେ ବିଶୃଙ୍ଖଳିତ ଆଚରଣକୁ ସ୍ବର୍ଗତ ଦାମୋଦର ରାଉତଙ୍କ ସହ ବହୁ ରାଜନେତା ନିନ୍ଦା କରିଥିଲେ । ବିଧାନସଭା ବିତର୍କର ମାନବୃଦ୍ଧି ପାଇଁ ସଦସ୍ୟଙ୍କୁ ଇଂଲଣ୍ଡ ଢାଞ୍ଚାରେ ପ୍ରଶିକ୍ଷଣ ଦେବା ନେଇ ବି ପ୍ରସ୍ତାବ ଦିଆଯାଇଥିଲା ।

ଗୃହ ନଚାଲିଲେ କଟିବ ଦରମା !

ବିଧାନସଭାରେ ଆଲୋଚନା ଜରୁରୀ । ହେଲେ ଗୃହ ମୁଲତବି ପରମ୍ପରା ଭଳି ବର୍ଷ ବର୍ଷ ଧରି ଚାଲିଆସିଥିବା ବେଳେ ଏଥିରେ ବ୍ରେକ୍ ପାଇଁ ବାଚସ୍ପତି ସୁରମା ପାଢୀ ଶକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଅଫିସରେ ଯଦି କର୍ମଚାରୀ କାମ ନକଲେ ଦରମା କାଟିବାର ବ୍ୟବସ୍ଥା ରହିପାରୁଛି, ସମାନ ବ୍ୟବସ୍ଥା ବିଧାନସଭାରେ ବି ରହୁ । ବିଧାନସଭାର ଗୋଟିଏ କାର୍ଯ୍ୟଦିବସ ପାଇଁ ପ୍ରାୟ ୨କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିରୋଧ ନାଁରେ ଗୋଟିଏ ଲେଖାଏଁ କାର୍ଯ୍ୟଦିବସ ଚଲାଇ ନଦେବା କେତେଦୂର ଯୁକ୍ତିଯୁକ୍ତ? ସ୍ବାଧୀନତା ପୂର୍ବରୁ ୧୯୩୮ମସିହା ଫେବ୍ରୁଆରୀ ୩ତାରିଖରେ ବିଧାନସଭା ଗଠନ ହୋଇଥିବା ବେଳେ ଗୃହ ଅଳ୍ପ କିଛି କ୍ୟାଲେଣ୍ଡର ବର୍ଷରେ ହିଁ ୬୦ଦିନ ଚାଲିପାରିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭା ପ୍ରାୟ ୧୨ଥର ହିଁ ବର୍ଷକୁ ୬୦ଦିନ ଚାଲିପାରିଛି । ତେଣୁ ଦରମା କାଟ୍ ଭଳି ଶକ୍ତ ପଦକ୍ଷେପ ନେଲେ ହିଁ ବିଧାନସଭା ଅଚଳାବସ୍ଥାରେ ରୋକ୍ ଲାଗିପାରିବ ବୋଲି ଚର୍ଚ୍ଚା ହେଉଛି ।

Comments are closed.