ଭୁବନେଶ୍ବର: ସମ୍ବଲପୁର ବିଧାନସଭାରେ ପୁଣି ଫୁଟିବ କି ପଦ୍ମ ? ବିଜେପି ହେଭିଓ୍ବେଟ୍ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ସମ୍ବଲପୁର ପାଇଁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ତେବେ ପ୍ରସନ୍ନଙ୍କ ଅସନ୍ତୋଷ ପରେ ତାଙ୍କୁ ରେଢାଖୋଲରୁ ପ୍ରାର୍ଥୀ କରିବା ସହ ରୋହିତଙ୍କୁ ସମ୍ବଲପୁର ଟିକେଟ୍ ଦିଆଯାଇଛି। ରୋହିତ ପ୍ରାର୍ଥୀ ହେବା ପରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଛି। ଗତଥର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରାସେଶ୍ବରୀ ପାଣିଗ୍ରାହୀ ବି ବିଜେଡି ଛାଡିଛନ୍ତି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦୁର୍ଗାପ୍ରସାଦ ପାଢୀ ।…
ରୋହିତଙ୍କ ପାଇଁ ବିଜେଡି ଚକ୍ରବ୍ୟୂହ !
ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଜେଡିର ଦୁଇ ଗୋଷ୍ଠୀ ବିରୋଧ କରୁଛନ୍ତି । ଟିକେଟ୍ ପାଇଁ ଆଶାୟୀ ଥିବା ରାସେଶ୍ବରୀ ପାଣିଗ୍ରାହୀ ରୋହିତ ପ୍ରାର୍ଥୀ ହେବା ପରେ ଦଳ ଛାଡିଛନ୍ତି । ତାଙ୍କ ସମର୍ଥନରେ ୪୧ଜଣ ପଦାଧିକାରୀ ଓ ସକ୍ରିୟ କର୍ମୀ ମଧ୍ୟ ବିଜେଡି ଛାଡିଛନ୍ତି । ସେହିପରି ବିଜେଡି ରାଜ୍ୟ ସାଧାରଣ ସଂପାଦକ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ ମଧ୍ୟ ରୋହିତଙ୍କୁ ବିରୋଧ କରିଥିଲେ। ଏବେ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେଲେ ବି ସିଦ୍ଧାର୍ଥଙ୍କ ଗୋଷ୍ଠୀ ରୋହିତଙ୍କୁ କେତେ ସମର୍ଥନ କରିବେ ସେନେଇ ବି ଦ୍ବନ୍ଦ୍ବ ରହିଛି ।
ଖେଳ ବଦଳାଇବେ ରାସେଶ୍ବରୀ !
ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ବିଜେଡି ଛାଡିବା ସହ ଅନ୍ୟ କୌଣସି ଦଳରେ ଯୋଗ ଦେବେନାହିଁ ବୋଲି ସ୍ପଷ୍ଟ କରିଥିଲେ । ତେବେ ତାଙ୍କୁ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ଭେଟି ଆଶୀର୍ବାଦ ନେଇଛନ୍ତି । ୨୦୧୪ରେ ଜୟନାରାୟଣଙ୍କୁ ପରାସ୍ତ କରି ବିଧାୟିକା ହୋଇଥିଲେ ରାସେଶ୍ବରୀ । ସମ୍ବଲପୁରରେ ତାଙ୍କର ସଂଗଠନ ସାଙ୍ଗକୁ ଭଲ ଲୋକପ୍ରିୟତା ରହିଛି । ସୌଜନ୍ୟମୂଳକ ସାକ୍ଷାତକାର କହିଲେ ବି ରାସେଶ୍ବରୀଙ୍କ ସମର୍ଥନ ବିଜେପିକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏମିତି ହେଲେ ରୋହିତଙ୍କ ପାଇଁ କଷ୍ଟକର ହୋଇପାରେ ସମ୍ବଲପୁର ଲଢେଇ ।
ଜୟଙ୍କ ଗଡ଼ରେ ବିଜୟ ଗଣିତ
ସମ୍ବଲପୁର ବିଧାନସଭା ଆସନ ଜୟନାରାୟଣ ମିଶ୍ରଙ୍କ ଗଡ ରହିଛି । କେବଳ ୨୦୧୪କୁ ଛାଡିଦେଲେ ୨୦୦୦ମସିହାରୁ ସମ୍ବଲପୁରରୁ ଜିତିଆସୁଛନ୍ତି ଜୟନାରାୟଣ। ବିଧାନସଭାରୁ ଚାରି ଚାରିଥର ବିଧାୟକ ହୋଇଥିବା ଜୟ ବିରୋଧୀ ଦଳ ନେତା ବି ରହିଥିଲେ । ୨୦୧୪ରେ ତାଙ୍କୁ ହରାଇଥିବା ରାସେଶ୍ବରୀ ବି ଆଉ ବିଜେଡିରେ ନାହାନ୍ତି । ରାସେଶ୍ବରୀ ଯଦି ଜୟନାରାୟଣଙ୍କୁ ସମର୍ଥନ କରନ୍ତି ତେବେ ସମ୍ବଲପୁରରେ ପୁଣି ପଦ୍ମ ଫୁଟିପାରେ ।
ବିଜେଡି ପାଇଁ ସହଜ ନୁହେଁ ସମ୍ବଲପୁର !
୨୦୦୯ରେ ରୋହିତ କଂଗ୍ରେସରୁ ବିଜେଡିକୁ ଆସିବା ପରେ ସମ୍ବଲପୁର ଲୋକସଭା ଲଢି ହାରିଥିଲେ। ପରେ ୨୦୧୪ ଓ ୨୦୧୯ରେ ଦୁଇଥର ରେଢାଖୋଲରୁ ଜିତିଥିଲେ । ସମ୍ବଲପୁରରେ ତାଙ୍କର ସେଭଳି ସୁଦୃଢ ସଂଗଠନ ନାହିଁ । ରୋହିତଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ବରଖାସ୍ତ କରାଯିବା ପରେ ତାଙ୍କ ପାରିବାପଣିଆ ନେଇ ବି ପ୍ରଶ୍ନ ଉଠିଥିଲା । ସମ୍ବଲପୁରରେ ଜୟନାରାୟଣଙ୍କ ସହ ଲଢିବା ସହ ବିଜେଡି ଅନ୍ତକନ୍ଦଳ ସହ ବି ରୋହିତଙ୍କୁ ଲଢିବାକୁ ପଡିବ।
ସମ୍ବଲପୁର ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଥିବା ବେଳେ ବିଧାନସଭା ଉପରେ ବି ନଜର ରହିଛି । ତେବେ ବିଦ୍ରୋହ, ଅସନ୍ତୋଷ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ।
Comments are closed.