Latest Odisha News

BREAKING NEWS

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ କିଏ?

ଟରୋଣ୍ଟ: କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ମନ୍ଦିରରେ ହୋଇଥିବା ବିଶୃଙ୍ଖଳା ବା ଆକ୍ରମଣ ଘଟଣାରେ କାନାଡା ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରାମ୍ପଟନ୍‌ର ଇନ୍ଦ୍ରଜିତ ଗୋଶାଲ(୩୫)। କାନାଡାର ପିଲ ପୋଲିସ ଦ୍ୱାରା ଏହି ୪ର୍ଥ ଅଭିଯୁକ୍ତ ଗିରଫ ହୋଇଛି। ମନ୍ଦିର ଉପରେ କରାଯାଇଥିବା ଆକ୍ରମଣ ସେ ହେଉଛନ୍ତି ମାଷ୍ଟରମାଇଣ୍ଡ। କେବଳ ସେତିକି ନୁହେଁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁର ସେ ନିକଟତର ମଧ୍ୟ।

ଶନିବାର ଏକ ବିଜ୍ଞପ୍ତି ଜାରି କରି ପିଲ ଆଞ୍ଚଳିକ ପୋଲିସ (ପିଆରପି) ଘୋଷଣା କରିଛି ଯେ ଇନ୍ଦ୍ରଜିତ ଗୋଶାଲଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗ୍ରେଟର ଟରୋଣ୍ଟରେ ହିନ୍ଦୁ ମନ୍ଦିର ଉପରେ ଅକ୍ରମଣ ଯୋଜନା ଇନ୍ଦ୍ରଜିତ ଗୋଶାଲ ହିଁ କରିଥିଲେ। ତେବେ ଗିରଫ କରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇ କିଛି ସର୍ତ୍ତ ଅନୁଯାୟୀ ତାଙ୍କୁ ଛାଡ଼ି ଦିଆଯାଇଛି। ଏହାପୂର୍ବରୁ ଏହି ମାମଲରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା।

ଶହେରୁ ଅଧିକ ଭିଡିଓ ଅନୁସନ୍ଧାନ କରାଯାଉଛି

କାନାଡାର ପିଲ ପୋଲିସ ଏକ ବିବୃତ୍ତିରେ କହିଛି ଯେ ଘଟଣାର ପ୍ରାୟ ଶହେ ଭିଡିଓ ଯାଞ୍ଚ କରାଯାଉଛି ଯାହା ଦ୍ୱାରା ଏହି ଅପରାଧରେ ସମ୍ପୃକ୍ତ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇପାରିବ। ଏହି ଭିଡିଓଗୁଡିକରେ ଲୋକମାନେ ପତାକା ଏବଂ ବାଡି ବ୍ୟବହାର କରି ଅନ୍ୟ ଲୋକଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥିଲା।

କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ଏକ ବିବୃତ୍ତିରେ କହିଛନ୍ତି ଯେ ଖଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା ଏବଂ ଏହି ଘଟଣାକୁ ହିନ୍ଦୁ-ଶିଖ ପ୍ରସଙ୍ଗ ଭାବରେ ଭୁଲ ଭାବରେ ବର୍ଣ୍ଣିତ କରି ରାଜନେତାମାନଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ଇନ୍ଦ୍ରଜିତ ଗୋଶାଲ ସିଖ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତବନ୍ତ ସିଂହ ପନ୍ନୁର ରାଇଟ୍‌ ହ୍ୟାଣ୍ଡ। ହରଦୀପ ସିଂହ ନିଜ୍ଜରର ହତ୍ୟା ପରେ ସେ ହିଁ ପନ୍ନୁର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି। ପୁଲିସ କହିବା ମୁତାବକ, ଗୋଶାଲଙ୍କୁ ନଭେମ୍ବର ୮ ତାରିଖରେ ଗିରଫ କରାଯାଇଥିଲା। କିନ୍ତୁ ପରେ ଜାମିନରେ ତାଙ୍କୁ ମୁକ୍ତ କରାଯାଇଛି।

Comments are closed.