କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି ଯେ ସେ ନ୍ୟାୟପାଳିକାକୁ ବହୁତ ସମ୍ମାନ କରନ୍ତି, କିନ୍ତୁ ସ୍କୁଲରେ ଶିକ୍ଷକ ନିଯୁକ୍ତିକୁ ଅବୈଧ ଘୋଷଣା କରିବା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିପାରିବେ ନାହିଁ। ସେ ଆହୁରି ମଧ୍ଯ କହିଛନ୍ତି ଯେ, ତାଙ୍କ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରିବ କିନ୍ତୁ ଅନ୍ୟାନ୍ୟ ଆଇନଗତ ବିକଳ୍ପଗୁଡ଼ିକ ଉପରେ ମଧ୍ୟ ବିଚାର କରୁଛନ୍ତି। ମୁଁ ନ୍ୟାୟପାଳିକା ଏବଂ ବିଚାରପତିମାନଙ୍କୁ ବହୁତ ସମ୍ମାନ କରେ, କିନ୍ତୁ ମାନବିକ ଦୃଷ୍ଟିକୋଣରୁ ମୁଁ ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିବି ନାହିଁ।
ଉଲ୍ଲେଖଯୋଗ୍ୟ, ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଥିବା ବେଳେ ଏନେଇ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଯେଉଁଥିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧୀନରେ ୨୫,୦୦୦ ରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ହେରାଫେରି ଏବଂ ଜାଲିଆତି ହୋଇଛି ଏବଂ ଏହାର ବିଶ୍ୱସନୀୟତା ଏବଂ ବୈଧତା କ୍ଷୁର୍ଣ୍ଣ ହୋଇଛି । ତେଣୁ ନିଯୁକ୍ତି ମିଳିଥିବା ବ୍ୟକ୍ତିଙ୍କୁ ଚାକିରୀ ଛାଡିବାକୁ ହେବ ।
ଅଧିକ ପଢନ୍ତୁ- ଦିଦିଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏନେଇ ନିଷ୍ପତ୍ତି ଶୁଣାଇଥିବା ବେଳେ ସେ କହିଛନ୍ତି, ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଦେଖାଯାଉନାହିଁ । ନିଯୁକ୍ତିଗୁଡ଼ିକରେ ଠକେଇ ହୋଇଛି । ତେଣୁ ଏହା ବିଶ୍ବାସଘାତକତା । ଏଥିସହିତ ସର୍ବୋଚ୍ଚ କୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଏକ ନୂତନ ଚୟନ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.