ଭୁବନେଶ୍ୱର : ଝଡ ଏବଂ ବଜ୍ରପାତକୁ ପ୍ରତିରୋଧ କରବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସରକାର ଏକ କମନ୍ ଆଲର୍ଟ ପ୍ରୋଟୋକଲ୍ (କ୍ୟାପ୍) ପ୍ରସ୍ତୁତ କରୁଛନ୍ତି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଡ଼ି.ଜି ଡ. କେ.ଜେ.ରମେଶ କହିଛନ୍ତି ।
ଏହି ମଡେଲ ପରୀକ୍ଷା ସରିଲାଣି ଏବଂ ଆବଶ୍ୟକ ସ୍ଥଳେ ବଜ୍ରାପାତର ସମ୍ଭାବନା ଥିବା ସ୍ଥାନ ମାନଙ୍କରେ ଲୋକେ ବ୍ୟବହାର କରୁଥିବା ସେଲ୍ ଫୋନ ଗୁଡିକ ଦ୍ୱାରା ଆଗୁଆ ସୂଚନା ଦିଆଯାଇ ପାରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ଠାରେ ଆରମ୍ଭ ହୋଇଥିବା ୩ ଦିନିଆ “”ଥଣ୍ଡରଷ୍ଟର୍ମ ଆଣ୍ଡ ଲାଇଟନିଂ ଇନ୍ ଟ୍ରପିକ୍ସ” ସମ୍ପର୍କୀତ ଅନ୍ତର୍ଜାତୀୟ କର୍ମଶାଳାରେ ସୂଚନା ଦେଇଛନ୍ତି ଡ. ରମେଶ୍ । ସେ ଆହୁରି ମଧ୍ୟ କହିଛନ୍ତି, ସାଟେଲାଇଟ୍କୁ ଅନୁଧ୍ୟାନ କରିବା ସହ ଓ ରାଡାରର ଚିତ୍ରକୁ ଦେଖି ତଥା ବିଭିନ୍ନ ସୂତ୍ରରୁ ଆସୁଥିବା ଡାଟାକୁ ମିଶାଇବା ଦ୍ୱାରା ଝଡ ଏବଂ ବଜ୍ରପାତର ଆଗୁଆ ସୂଚନା ମିଳିପାରିବ ।
ଏହି ୩ ଦିନିଆ ସମ୍ମିଳନୀରେ ପ୍ରାୟ ୨୦୦ ରୁ ଅଧିକ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍ ଏବଂ ଯୋଜନା ବିଶାରଦ ଯୋଗଦେଇଛନ୍ତି । ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରଟି (ଓସଡମା) ଏବଂ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର ମିଳିତ ଆନୁକୂଲ୍ୟରେ ଏବଂ ଅନ୍ୟ ଅନୁଷ୍ଠାନଗୁଡିକର ସହଭାଗିତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ଉଚ୍ଚଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ ବର୍ଷକୁ ବଜ୍ରପାତ ଯୋଗୁ ହାରାହାରି ୪୦୦ ଜଣଙ୍କ ମୃତ୍ୟ ହେଉଥିବା ଦୃଷ୍ଟିରୁ ଗବେଷକ ମାନେ ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇବା ପାଇଁ ସମାଧାନର ବାଟ ଖୋଜି ବାହାର କରିବା ଆବଶ୍ୟକ ।
କେନ୍ଦ୍ର ଭୂ ବିଜ୍ଞାନ ବିଭାଗର ସଚିବ ଡ. ଏମ.ଏନ. ରାଜୀବନ, ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିସନର ଏବଂ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପରଡ୍ୟୁ ବିଶ୍ୱବିଦ୍ୟାଳୟ, ୟୁ.ଏସ.ଏର ପ୍ରଫେସର ଦେବ ନିୟୋଗୀ, ଆଇଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି. ରାଜାକୁମାର, ଆଇଆଇଟି, ଭୁବନେଶ୍ୱରର ଏମର୍ରିଟସ ପ୍ରଫେସର ୟୁ.ସି. ମହାନ୍ତି, ସୋଆର ଡ. ଶରତ ଚନ୍ଦ୍ର ସାହୁ ଏବଂ ସୋଆ କୂଳପତି ପ୍ରଫେସର ଅମିତ୍ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ମତ ରଖିଥିଲେ ।
ଡ. ରମେଶ୍ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋକଙ୍କୁ ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରଶାସନ ପ୍ରସ୍ତୁତ କରିଥିବା ଅଧିକ ସଂଖ୍ୟକ ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକ ଉତ୍ତମ ଭାବେ ପରିଚାଳନା କରାଯାଉଛି ବୋଲି କହିଥିଲେ । ରାଜ୍ୟ ସରକାର ଏହି କ୍ଷେତ୍ରରେ ଉନ୍ନତି ମୂଳକ ପଦକ୍ଷେପ ନେଉଛନ୍ତି ଏବଂ କେନ୍ଦ୍ର ପାଣିପାଗ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ସେଠୀ କହିଥିଲେ ଯେ ଏହି ୩ ଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି କେନ୍ଦ୍ରର ଧ୍ୟାନ ଆକର୍ଷଣ କରିବା ଏବଂ ଏଭଳି ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ପଦ୍ଧତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୭୨୦୦୦ କୋଟି ଟଙ୍କାର କ୍ଷୟ କ୍ଷତି ସହିଛି । ଏହାକୁ ଭରଣା କରିବା ସମ୍ଭବପର ହେଉନାହିଁ । ୧୯୯୯ ମସିହା ମହାବାତ୍ୟା ପରଠାରୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ଯୋଗୁ ୫୦୦୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।
ଏହି ତଥ୍ୟ ଦେଇ ଏସଆରସି କହଛନ୍ତି ଯେ ଏହି ବଜ୍ରପାତ ଜନିତ ମୃତ୍ୟୁ ଗୁଡିକ ମୁଖ୍ୟତଃ ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଘଟୁଛି । ଏଥିସହିତ ଓଡ଼ିଶାର ଦେବଗଡ଼ ଭଳି ଜିଲ୍ଲାରେ ବଜ୍ରପାତ କମ୍ ହେଉଥିବା ବେଳେ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ ଘଟୁଛି । ଗବେଷଣାକାରୀ ଏହାର କାରଣ ଖୋଜି ବାହାର କରିବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ ।
ସେହିପରି ଗଣମାଧ୍ୟମ ଉପରେ ଗୁରୁ୍ତ୍ୱ ଦେଇ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏବଂ ସେହି ସମୟରେ ସୂଚନା ପ୍ରଦାନ କରିବା ଏବଂ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ଗଣମାଧ୍ୟମର ଏକ ପ୍ରମୁଖ ଭୂମିକା ରହିଛି ।
ଓଡ଼ିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଭାବେ ପରିଗଣିତ ହୋଇଛି ବୋଲି ଡ. ରାଜୀବନ୍ ପ୍ରକାଶ କରିଛନ୍ତି । ଝଡ ଏବଂ ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ଦେବା କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ । ତେବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରପିକାଲ୍ ମିଟିଓରୋଲୋଜି, ପୁନେ ଏବଂ ଏସୋ “ଦାମିନୀ’ ନାମକ ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ଦ୍ୱାରା କି ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବା ସହ ଜନସାଧାରଣଙ୍କୁ ସଚେତନ କରାଯାଇପାରିବ ।
ଏହି କ୍ଷେତ୍ରରେ ଗଭୀର ଗବେଷଣାର ଆବଶ୍ୟକତା ରହିଛି ଏବଂ କେନ୍ଦ୍ର ଭୂ ବିଜ୍ଞାନ ବିଭାଗ ଉତର ପୂର୍ବାଂଚଳରେ ଝଡ ସମ୍ପର୍କିତ ଏକ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଛି ଏବଂ ସେହିପରି ମୌସୁମୀ ସମ୍ପର୍କୀତ ଏକ ଗବେଷଣା କେନ୍ଦ୍ର ଭୋପାଳରେ ନିର୍ମିତ ହେଉଛିି ବୋଲି ସେ କହିଛନ୍ତି ।
ଏହି ଅବସରରେ ପ୍ରଫେସର ନିୟୋଗୀ କହିଛନ୍ତି ଯେ ଝଡ ଏବଂ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ନିଆଯାଉଥିବା ବିଭିନ୍ନ ସ୍ତରର ପଦକ୍ଷେପ ବେଶ୍ ପ୍ରଶଂସନୀୟ । ଏହି ସମ୍ମିଳନୀକୁ ଇଣ୍ଡିଆନ୍ ମେଟେରିଓଲୋଜିକାଲ୍ ସୋସାଇଟି, ଭୁବନେଶ୍ୱର ଚାପ୍ଟର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରପିକାଲ୍ ମେଟେରିଓଲୋଜି, ପୁନେ, ଆର୍ଥ ନେଟୱାର୍କ, ୟୁଏସଏ ଏବଂ ରାଇମସ, ବ୍ୟାଙ୍କକ୍ ପକ୍ଷରୁ ମିଳିତ ଭାବେ ସହଯୋଗ କରାଯାଉଛି ।
Comments are closed.