ଫୁଲବାଣୀ:ଫୁଲବାଣୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍ । ଜଣେ ଜୀବନ୍ତ ଦଗ୍ଧ । ଦୁଇ ଜଣ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତି । କାରରେ କେତେଜଣ ଥିଲେ ଜଣା ପଡିନାହିଁ । ନିଆଁକୁ ଆୟତ୍ତ କଲା ଫୁଲବାଣୀ ଅଗ୍ନିଶମ ବାହିନୀ । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।
ମୃତକ ଜଣକ ଫୁଲବାଣୀ ବ୍ଲକ ଦାତପାଜୁ ପଞ୍ଚାୟତ ମିଣିଆକାଠି ଗ୍ରାମର ବରୁଣ ମଲ୍ଲିକ(୨୦) ।
ବରୁଣଙ୍କ ଭାଇ ବାବୁଲା ମଲ୍ଲିକ(୨୨) ଓ ଦଡକି ପଞ୍ଚାୟତ ସିଙ୍ଗାପଡାର ଶୈଳେନ୍ଦ୍ର କହଁର(୫୦) ଗୁରୁତର ହୋଇଛନ୍ତି। ଉଭୟେ ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ଏବଂ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।
ଖବରମୁତାବକ, ଶନିବାର ସନ୍ଧ୍ୟାରେ ଏହି ତିନି ଜଣ ଏକ ଅଟୋ ରେ ଫୁଲବାଣୀରୁ ନିଜ ଗ୍ରାମ ସଦର ବ୍ଲକ ମିଣିଆକାଠିକୁ ଯାଉଥିଲେ। ଦାତପାଜୁ ନିକଟରେ ବୌଦ୍ଧ ପଟୁ ଆସୁଥିବା ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡି ଘଟଣା ସ୍ଥଳରେ ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ସେତେବେଳକୁ ଅଟୋରେ ବସିଥିବା ତିନି ଯାତ୍ରୀ ଜଳି ଯାଇଥିଲେ। ବରୁଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଦୁଇଜଣଙ୍କୁ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Comments are closed.