Latest Odisha News

BREAKING NEWS

ସବୁବେଳେ କୁହନ୍ତି, ସବୁବେଳେ ହାରନ୍ତି !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ କଣ ହେବ ରାଜନୈତିକ ଚିତ୍ର। ଦିନକ ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ବହୁ ଆଗରୁ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଘୋଷଣା କରି ବ୍ଲକ, ପଂଚାୟତ ଓ ତୃଣମୂଳ ସ୍ତରରେ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦେଇ ସାରିଲାଣି।

କଂଗ୍ରେସ ମଧ୍ୟ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିବା ସହ ରଣନୀତି ପ୍ରସ୍ତୁତ କରିଛି। ଦଳ ପକ୍ଷରୁ ଝାରସୁଗୁଡ଼ାର ଜିଲ୍ଲା ପରିଷଦ ଜୋନରେ ୪ ଜଣ ବିଧାୟକଙ୍କୁ ଦାୟିତ୍ୱ ଦେଇଛି। ଝାରସୁଗୁଡ଼ା ମ୍ୟୁନିସିପାଲିଟିକୁ ତଦାରଖ କରିବା ପାଇଁ କଂଗ୍ରେସ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି। ମ୍ୟୁନିସପାଲିଟିର ପ୍ରତିଟି ୱାର୍ଡରେ ଜଣେ ଜଣେ ନେତାଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ୪୦ ଟି ପଞ୍ଚାୟତକୁ ମଧ୍ୟ ନେତା ଜଗିବେ ବୋଲି କୁହାଯାଉଛି।

ଖୁବ ଶୀଘ୍ର ଷ୍ଟାର ପ୍ରଚାରକ ତାଲିକା ଚୂଡାନ୍ତ ହେବା ସହ ଦଳର ଯୁବ ଓ ବରିଷ୍ଠ ନେତାମାନେ ପ୍ରଚାର କରିବେ ବୋଲି ଯୋଜନା ହୋଇଛି। ସେପଟେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଯୋଜନା କରୁଛି। ଏହି ଉପନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ କ୍ଷେତ୍ରରେ ଶାସକ ଦଳକୁ ବିଜେପିର ନୂଆ ମୁଖିଆ ମାନେ ଟାର୍ଗେଟ କରିଛନ୍ତି। ଏହି ଟାର୍ଗେଟର କଣ ପ୍ରଭାବ ତାହା ଫଳାଫଳରେ ସ୍ପଷ୍ଟ ହେବ। ତେଣୁ ଏହାକୁ ନେଇ ଲାଗିପଡିଛି ଦଳ।

କିନ୍ତୁ ପୂର୍ବରୁ ବିଭିନ୍ନ ଉପନିର୍ବାଚନର ପ୍ରସ୍ତୁତିକୁ ଦେଖିଲେ ବିରୋଧୀ ବିଜେପି ଓ କଂଗ୍ରେସ ଏଭଳି ସମାନ ଢଙ୍ଗରେ ପ୍ରସ୍ତୁତି କରନ୍ତି ଓ ଶାସକ ଦଳକୁ ହରାଇବାର କଡା ଭାଷଣ ମଧ୍ୟ ଦିଅନ୍ତି। କିନ୍ତୁ ଫଳ କଣ ହୁଏ କାହାକୁ ଅଜଣା ନାହିଁ। ନିକଟ ଅତୀତରେ କେବଳ ଧାମନଗର ଉପନିର୍ବାଚନକୁ ଛାଡିଲେ ଅନ୍ୟ ଆଡେ ସ୍ଥିତି ପ୍ରାୟ ଏକା ରୁହେ।

ପୁଣି ଧାମନଗରରେ ରାଜୁ ଦାସଙ୍କ ଯୋଗୁ ହିଁ ବିଜେଡି ହାରିଥିବା କୁହାଯାଏ। ତେଣୁ ଝାରସୁଗୁଡ଼ାରେ ବିରୋଧୀ ଏମିତି କଣ ଯୋଜନା କରିଛନ୍ତି ଯେ ବିଜେଡିକୁ ମାତ ଦେଇ ପାରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଗରୁ ମଧ୍ୟ ରାଜ୍ୟରେ ବିଭିନ୍ନ ସରକାର ବିରୋଧୀ ପ୍ରସଂଗ ଥାଏ ଆଜି ବି ଅଛି। ବିଭିନ୍ନ ଉପନିର୍ବାଚନରେ ବିରୋଧୀ ଏ ସବୁକୁ ନେଇ ପ୍ରଚାର କରନ୍ତି ବିଜେଡିକୁ ହରାଇବାର କଥା କୁହନ୍ତି ଆଜି ବି କହୁଛନ୍ତି। କିନ୍ତୁ ଏହାର ଫଳ କିଛି ଦେଖିବାକୁ ମିଳେନାହିଁ।

ଏବେ ଝାରସୁଗୁଡ଼ାରେ ଶାସକ ବିଜେଡି ଶକ୍ତିଶାଳୀ ଦଳ ଭାବେ ଉଭା ହେବା ସହ ପ୍ରସ୍ତୁତି ଜୋରଦାର କରିଛି। ତେଣୁ ବିରୋଧୀ ବିଜେପି ଓ କଂଗ୍ରେସ କଣ ପନ୍ଥା ଆପଣାଇ ବିଜେଡିକୁ ହରାଇବା କଥା କହୁଛନ୍ତି ଓ ଏଥିରେ ସଫଳ ହେବେ ନା କେବଳ ପୂର୍ବରୁ ଯେମିତି କୁହନ୍ତି ଓ ଜିତିବା କେବଳ କଥାରେ ସୀମିତ ରୁହେ ଏଥର ସେୟା ହେବ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.