ପାରାଦୀପ: ପାରାଦୀପ ଉପକୂଳରେ ‘ଏମ୍ଭି ବିଶ୍ୱ ଉଦୟ’ (MV Vishva Uday) ନାମକ ଏକ ମାଲବାହୀ ଜାହାଜ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଜାହାଜରେ ଥିବା ସମସ୍ତ ୨୭ ଜଣ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ମୋଜାମ୍ବିକ ଅଭିମୁଖେ ଯାଉଥିବା ବେଳେ ପାରାଦୀପଠାରୁ ପ୍ରାୟ ୫୦ ନଟିକାଲ ମାଇଲ ଦୂରରେ ଜାହାଜର ପ୍ରୋପେଲର ଶାଫ୍ଟ (propeller shaft) ଭାଙ୍ଗି ଯାଇଥିଲା। ଫଳରେ ନଭେମ୍ବର ୧୫ ଓ ୧୬ ତାରିଖ ମଧ୍ୟରାତ୍ରିରେ ଜାହାଜର ଇଞ୍ଜିନ୍ ରୁମ୍ରେ ସମୁଦ୍ର ପାଣି ପଶିବା ଆରମ୍ଭ ହୋଇଥିଲା। ଜରୁରୀକାଳୀନ ସନ୍ଦେଶ ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ‘ଆଇସିଜିଏସ୍ ଅମୂଲ୍ୟ’ (ICGS Amulya) ଏବଂ ‘ଆଇସିଜିଏସ୍ ବିଜୟା’ (ICGS Vijaya) ଜାହାଜକୁ ଘଟଣାସ୍ଥଳକୁ ପଠାଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ସ୍ୱତନ୍ତ୍ର ଦଳ ସବମର୍ସିବଲ୍ ପମ୍ପ ଲଗାଇ ଜାହାଜ ଭିତରୁ ପାଣି ନିଷ୍କାସନ କରିବା ସହ ଏହାକୁ ବୁଡ଼ିବାରୁ ରକ୍ଷା କରିଥିଲେ।
ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ (SCI) ର ଅନୁରୋଧ କ୍ରମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ହାର୍ବର ମାଷ୍ଟର କ୍ୟାପଟେନ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଡଲଫିନ୍ ୨୫’ ଏବଂ ‘ଡଲଫିନ୍ ୨୦’ ନାମକ ଦୁଇଟି ଟଗ୍ ବୋଟ୍ ପଠାଇଥିଲେ। ସେଗୁଡ଼ିକ ସହାୟତାରେ ବିପଦଗ୍ରସ୍ତ ଜାହାଜଟିକୁ ଟାଣି ଅଣାଯାଇ ପାରାଦୀପ ବନ୍ଦରର ବାହ୍ୟ ସୀମାରେ ସୁରକ୍ଷିତ ଭାବେ ଲଙ୍ଗର ପକାଯାଇଛି। ଜାହାଜରେ ଥିବା ସମସ୍ତ ୨୭ ଜଣ ନାବିକ ସୁରକ୍ଷିତ ଅଛନ୍ତି। ଘଟଣା ସମୟରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ନାବିକଙ୍କୁ ଚିକିତ୍ସା ପାଇଁ ପାରାଦୀପ ବନ୍ଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
