Latest Odisha News

BREAKING NEWS

ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ITBPରେ କର୍ମଚାରୀ ସଙ୍କଟ: ୩୩% ବରିଷ୍ଠ ଆଇପିଏସ୍ ପଦବୀ ଖାଲି

ନୂଆଦିଲ୍ଲୀ: ଭାରତ-ତିବ୍ଦତ ସୀମା ପୋଲିସ ବା ITBP (Indo-Tibetan Border Police) ରେ ବର୍ତ୍ତମାନ ମୋଟ ୧୨,୩୩୩ଟି କର୍ମଚାରୀ ପଦବୀ ଏବଂ ୮ଟି ବରିଷ୍ଠ IPS ଅଧିକାରୀ ପଦବୀ ଖାଲି ପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତ-ଚୀନ୍ ସୀମାରେ ଉତ୍ତେଜନା ଲାଗି ରହିଥିବା ସମୟରେ ଦେଶର ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ମଧ୍ୟରେ ITBP ରେ ବରିଷ୍ଠ ଅଧିକାରୀଙ୍କ ଅଭାବ ସର୍ବାଧିକ ରହିଛି।

ଗୃହ ମନ୍ତ୍ରଣାଳୟର ତଥ୍ୟ ମୁତାବକ ITBP ରେ ମଞ୍ଜୁରୀପ୍ରାପ୍ତ ପଦବୀ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟାରେ ବଡ଼ ବ୍ୟବଧାନ ଦେଖାଦେଇଛି। ବାହିନୀରେ ମୋଟ ୧,୦୫,୧୩୬ଟି ପଦବୀ ପାଇଁ ମଞ୍ଜୁରୀ ରହିଛି। ର୍ତ୍ତମାନ ମାତ୍ର ୯୨,୮୦୩ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମୋଟ ୧୨,୩୩୩ଟି ପଦବୀ ଖାଲି ପଡ଼ିଛି, ଯାହାକି ମୋଟ ମଞ୍ଜୁରୀପ୍ରାପ୍ତ ଶକ୍ତିର ପ୍ରାୟ ୧୧.୭ ପ୍ରତିଶତ ଅଟେ। କର୍ମଚାରୀଙ୍କ ବ୍ୟତୀତ ବାହିନୀର ନେତୃତ୍ୱ ସ୍ତରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି।

୨୪ଟି ମଞ୍ଜୁରୀପ୍ରାପ୍ତ IPS ପଦବୀ ମଧ୍ୟରୁ ୮ଟି ପଦବୀ (ପ୍ରାୟ ୩୩.୩%) ଖାଲି ପଡ଼ିଛି। ଗତ ୪ ମାସ ମଧ୍ୟରେ ଖାଲି ପଡ଼ିଥିବା ବରିଷ୍ଠ ପଦବୀ ସଂଖ୍ୟା ୫ରୁ ବୃଦ୍ଧି ପାଇ ୮ରେ ପହଞ୍ଚିଛି। ଏହି ୮ଟି ପଦବୀ ମଧ୍ୟରେ ୧ଟି ମହାନିର୍ଦ୍ଦେଶକ (DG), ୩ଟି ଆଇଜି (IG) ଏବଂ ୪ଟି ଡିଆଇଜି (DIG) ସ୍ତରୀୟ ପଦବୀ ଅନ୍ତର୍ଭୁକ୍ତ। ITBP ତୁଳନାରେ ଅନ୍ୟ କେନ୍ଦ୍ରୀୟ ବାହିନୀଗୁଡ଼ିକରେ ବରିଷ୍ଠ IPS ପଦବୀ କମ୍ ଖାଲି ଅଛି। CISF ରେ ୫ଟି, BSF ଓ CRPF ରେ ୪ଟି ଲେଖାଏଁ ଏବଂ SSB ରେ ମାତ୍ର ୧ଟି ପଦବୀ ଖାଲି ରହିଛି।

ଅରୁଣାଚଳ ପ୍ରଦେଶ ସମେତ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବା ସମୟରେ ଏହି ଅଭାବ ଦେଖାଦେଇଛି। ଅକ୍ଟୋବର ୩୧ ତାରିଖରେ ପୂର୍ବତନ ଡିଜି ଶତ୍ରୁଜିତ ସିଂ କପୁରଙ୍କ ଅବସର ପରେ ITBP ରେ ସ୍ଥାୟୀ ମହାନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି, ଯାହା ପରିଚାଳନା ଏବଂ ତଦାରଖ କାର୍ଯ୍ୟକୁ ପ୍ରଭାବିତ କରୁଛି।

Leave A Reply

Your email address will not be published.