Latest Odisha News

ଯମୁନା ପାଣିରେ ବିଷ ମିଶାଇବା ବୟାନ; କେଜ୍ରିଓ୍ବାଲଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୫ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ​​ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ । ଏହା ଭିତରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ହରିୟାଣାରେ ଏକ ମାମଲା ରୁଜୁ ହୋଇଛି । ଅରବିନ୍ଦ କେଜରିୱାଲଙ୍କ ‘ଯମୁନାର ପାଣିରେ ବିଷ ମିଶାଇବା’ ବୟାନ ପାଇଁ ମାମଲା ରୁଜୁ କରାଯାଇଛି ।

ହରିୟାଣାର ଶାହବାଦ ପୋଲିସ ଷ୍ଟେସନରେ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି । ଜଗମୋହନ ମନଚନ୍ଦା ନାମକ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । କେଜ୍ରିୱାଲଙ୍କ ବିରୋଧରେ ଏନଏସ ଧାରା ୧୯୨, ୧୯୬(୧), ୧୯୭(୧), ୨୪୮(ଏ), ୨୯୯ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ‘ମଇଳା ରାଜନୀତି’ କରି ଦିଲ୍ଲୀର ଲୋକମାନଙ୍କୁ ଶୋଷିଲା ରଖିବାକୁ ଚେଷ୍ଟା କରୁଛି । “ହରିଆଣାରେ, ବିଜେପି ଲୋକମାନେ ପାଣିରେ ବିଷ ମିଶାଇ ଦିଲ୍ଲୀ ପଠାଉଛନ୍ତି । ଯଦି ଦିଲ୍ଲୀର ଲୋକମାନେ ଏହି ପାଣି ପିଇବେ, ତେବେ ଅନେକ ଲୋକ ମରିଯିବେ । ଏହାଠାରୁ ଅଧିକ ଘୃଣ୍ୟ ଆଉ କିଛି ହୋଇପାରେ କି?” କେଜ୍ରିୱାଲଙ୍କ ଏହି ଅଭିଯୋଗ ଉପରେ ହରିୟାଣା ସରକାର ମାମଲା ରୁଜୁ କରିବେ ବୋଲି କହିଥିଲେ । ସେହି ସମୟରେ, ନିର୍ବାଚନ କମିଶନ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ହରିୟାଣା ଯମୁନା ନଦୀର ପାଣିକୁ ବିଷାକ୍ତ କରିଥିବା ଦାବିର ସମର୍ଥନରେ ପ୍ରମାଣ ଉପସ୍ଥାପନ କରିବାକୁ କହିଥିଲେ ।

 

Comments are closed.