Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା; ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା । ବିଜେପି ନେତା ପ୍ରିଣ୍ଟୁ ମହାଦେବନଙ୍କ ବିରୋଧରେ ରୁଜୁ ହେଲା ମାମଲା । କେରଳର ଏକ ଟିଭି ଚ୍ୟାନେଲରେ ଏକ ବିତର୍କ ସମୟରେ ମହାଦେବନ ରାହୁଲ ଗାନ୍ଧୀଙ୍କୁ ଧମକ ଦେଇଥିଲେ । କେରଳ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀକୁମାର ସି.ସି.ଙ୍କ ଅଭିଯୋଗ ଆଧାରରେ ପେରାମଙ୍ଗଲମ୍ ପୋଲିସ ପ୍ରିଣ୍ଟୁ ମହାଦେବନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ ତାରିଖରେ ପ୍ରିଣ୍ଟୁ ମହାଦେବନ ଏକ ମାଲାୟଲମ ଚ୍ୟାନେଲରେ ବାଂଲାଦେଶ ଏବଂ ନେପାଳରେ ହୋଇଥିବା ବିରୋଧ ପ୍ରଦର୍ଶନ ଉପରେ ଏକ ବିତର୍କରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ବିଜେପି ନେତା ମହାଦେବନ ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଭାରତରେ ଏପରି ପ୍ରତିବାଦ ଅସମ୍ଭବ କାରଣ ଏଠାକାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ।

ସେ ଏହା ମଧ୍ୟ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀଙ୍କର ଏପରି ଇଚ୍ଛା ଅଛି, ତେବେ ତାଙ୍କୁ ଛାତିରେ ଗୁଳି ମାରି ଦିଆଯିବ ।

ବିଜେପି ନେତାଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସୋମବାର ଦିନ ତମାମ କେରଳରେ ମହାଦେବନ ଏବଂ ବିଜେପି ବିରୋଧରେ ପ୍ରତିବାଦ କରାଯାଇଥିଲା । କଂଗ୍ରେସ ମହାସଚିବ କେ.ସି. ଭେନୁଗୋପାଳ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ମହାଦେବନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଭେନୁଗୋପାଳ କହିଛନ୍ତି ଯେ ଏପରି ନ କଲେ ଏହାକୁ ମିଲିଭଗତ ବୋଲି ବିବେଚନା କରାଯିବ ।

ପ୍ରିଣ୍ଟୁ ମହାଦେବନ ହେଉଛନ୍ତି ଆରଏସଏସର ଛାତ୍ର ଶାଖା ଏବିଭିପିର ପୂର୍ବତନ ରାଜ୍ୟ ସଭାପତି । ସେ ବର୍ତ୍ତମାନ କେରଳ ବିଜେପିର ମୁଖପାତ୍ର । ସେ ବିଜେପି ମୁଖପାତ୍ର ଭାବରେ ପ୍ରିଣ୍ଟୁ ମହାଦେବନ ଲଦାଖ ହିଂସା ଏବଂ ବାଂଲାଦେଶ ଏବଂ ନେପାଳରେ ଚାଲିଥିବା ପ୍ରତିବାଦ ଉପରେ ଏକ ବିତର୍କରେ ଅଂଶ ଗ୍ରହଣ କରିଥିଲେ ।

Comments are closed.