ବାଲେଶ୍ବର :ବାଲେଶ୍ୱରରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ ମାମଲା । ଦୀର୍ଘଦିନ ଧରି ସଦର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରୁଥିଲେ ୪ ଦୁର୍ଦ୍ଦାନ୍ତ ଅପରାଧି । ସଦର ଥାନା ଓ ଗୁଡଦା ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି, ୩ଟି ଧାରୁଆ ଖଣ୍ଡା ଏବଂ ନଗଦ ୩,୫୦୦ ଟଙ୍କା ଜବତ କରିଛି କରିଛି ବାଲେଶ୍ୱର ସଦର ପୋଲିସ।
ଗିରଫ ଅଭିଯୁକ୍ତ ହେଲେ ଜୟରାମ ଦାସ ଓରଫ ଜୟ, ରାକେଶ ଦାସ ଓରଫ ତିତୁଆ, ବିକି ଦାସ ଓରଫ ମିତା ଏବଂ ମନୋଜ ବେହେରା ଓରଫ ନାୱା । ସୂଚନାଥାଉକି, ଜୟ ନାଁରେ ପୂର୍ବରୁ ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ୩ଟି ମାମଲା ରହିଛି।
ଗତ ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟାରେ ଗୁଡଦା ଛକ ନିକଟରେ ଏକ ନିର୍ମାଣ ସ୍ଥଳୀରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୧୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଜୋରଜବରଦସ୍ତି ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।