Latest Odisha News

BREAKING NEWS

Heatstroke:ଦୁଇ ଜଣଙ୍କ ଅଂଶୁଘାତ ମୁତ୍ୟୁ ଅଭିଯୋଗ

ଭୁବନେଶ୍ବର:ରବିବାର ଝାରସୁଗୁଡାରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଛି। ଏପଟେ ଆଜି ସୁନ୍ଦରଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରହିଥିଲା। ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡରେ ଦୁଇ ଜଣଙ୍କ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଖବରମୁତାବକ, ଗୁରୁଣ୍ଡିଆ ବ୍ଲକର ଜରଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ଅନୁରାଗ ଏକ୍କା ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଜନଗଣନା ନିମନ୍ତେ ରବିବାର ଜରଡ଼ା ଗାଁ ଯାଇଥିଲେ। ସେଠାରେ ଗଣନା ସମୟରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଆଜି ‌ରବିବାର ଅପରାହ୍‌ଣରେ କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ଫକିରମୁଣ୍ଡା ଗ୍ରାମରେ ସରକାରୀ ନଳକୂପ ଖୋଳୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଥିଲା।ମୃତକ ହେଲେ ଗାବ୍ରିଏଲ୍‌ ମୁଣ୍ଡା (୫୭) । ନଳକୂପ ଖୋଲିବା ବେଳେ ସେ ଅଚେତ ହୋଇଯାଇଥିଲେ। ଗ୍ରାମବାସୀ ତାଙ୍କୁ ନିକଟସ୍ଥ ଲହୁଣୀପଡ଼ା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାର ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ପୋଲିସ ଦୁଇ ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.