ଭୁବନେଶ୍ୱର: କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଭୁବନେଶ୍ୱର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ଏକ ଜମିକୁ ସିସୋର ଗ୍ରୁପକୁ ବିକ୍ରି କରିବା ମାମଲାରେ ଚୌଦ୍ୱାର-କଟକର ପୂର୍ବତନ ବିଜୁ ଜନତା ଦଳର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୨୦୧୭ ମସିହାରେ ସିବିଆଇ ଗିରଫ କରିଥିଲା। ଏହି ଜମିକୁ ବିଶ୍ୱାଳ ଓ ତାଙ୍କ ପତ୍ନୀ ମୋଟା ଅଙ୍କର ଟଙ୍କାରେ ସିସୋରକୁ ବିକ୍ରି କରିଦେଇଥିଲେ ଏବଂ ବେଆଇନ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ଦେଇପାରିନଥିଲେ।
ସିସୋର ସଂସ୍ଥା ୫୭୮ କୋଟିର ଏହି ଠକେଇ କରିଛି ବୋଲି ସୂଚନା ରହିଛି । ଯାହା ସାଧାରଣ ଲୋକଙ୍କ ଝାଳବୁହା ଧନ। ଭଲ ରିଟର୍ଣ୍ଣ ଦେବ କହି ଲୋକଙ୍କୁ ପ୍ରଲୋଭନ ଦେଖାଇ ଜମାରାଶି ଠକି ନେଇଛି ଏହି ଚର୍ଚ୍ଚିତ ସଂସ୍ଥା। ୨୦୧୪ ମେ’ ୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିସୋର ଗ୍ରୁପ୍ ବିରୋଧରେ ରୁଜୁ ୪୧ଟି ଏତଲା ମଧ୍ୟରୁ ୨୨ଟି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଥିଲା।
ସ୍ୱତନ୍ତ୍ର ସିବିଆଇ କୋର୍ଟରେ ୨୨ଟି ମାମଲାର ବିଚାର ଚାଲିଥିବା ବେଳେ ବାକି ୧୯ଟି ମାମଲା ବିଭିନ୍ନ ଜିଲ୍ଲାର କୋର୍ଟରେ ବିଚାରାଧୀନ ରହିଛି। ଢେଙ୍କାନାଳ, ରାଉରକେଲା, ସୋର, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, ଟିଟିଲାଗଡ଼, ସୋନପୁର ଆଦି ଥାନାରେ କମ୍ପାନୀ ବିରୋଧରେ ଏଫଆଇଆର ରୁଜୁ ହୋଇଛି।
ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଚାର୍ଜସିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି କୁହାଯାଉଛି। ଏହି ଦୁର୍ନୀତି ମାମଲାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ଏହା ପ୍ରଥମ ଚାର୍ଜସିଟ୍।
Comments are closed.