ନୂଆଦିଲ୍ଲୀ: ସିବିଆଇ ହାତରେ ଲାଗିଛି ଚାକିରି ଦେବା ନାଁରେ ଜମି ଘୋଟାଲାର ଦସ୍ତାବିଜ ! ଖୁବଶୀଘ୍ର ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏ ନେଇ ଖୁଲାସା କରିପାରେ। ଏହି ଘୋଟାଲା ବିହାରର ଶାସକ ଦଳ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଜଡିତ ରହିଛି । ତେଣୁ ପାଟଣାରୁ ଦିଲ୍ଲୀ ରାଜନୀତି ସରଗରମ ରହିଛି ।
କେନ୍ଦ୍ରରେ ରେଳମନ୍ତ୍ରୀ ଥିବାବେଳେ ଲାଲୁ ପ୍ରସାଦ ଯାଦବ ପରିବାର ଚାକିରି ଦେବା ବଦଳରେ ଜମି ନେଇଥିବା ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ ଯେ ସିବିଆଇକୁ ୨୦୦ ପ୍ରପୋର୍ଟି ବା ଜମି ବିକ୍ରିର ଦସ୍ତାବିଜ ମିଳିଛି। ବୁଧବାର ସାରା ଦେଶରେ ସିବିଆଇ ପାଟଣାରୁ ଗୁରୁଗ୍ରାମ ବିଭିନ୍ନ ସ୍ଥାନରେ ରେଡ୍ କରି ମୋଟ ୨୦୦ଟି ସମ୍ପତ୍ତିର ଦଲିଲ ପାଇଛି। ଏହା ସହିତ ରେଡ୍ ବେଳେ ବିପୁଳ ପରିମାଣର ଜିନିଷ ମଧ୍ୟ ଜବତ ହୋଇଛି । ଯାହାର ଗଣତି ଚାଲିଛି ବୋଲି କୁହାଯାଉଛି। ଗୁରୁଗ୍ରାମରେ ହ୍ୱାଇଟ୍ ଲ୍ୟାଣ୍ଡ କର୍ପୋରେସନ୍ ଲିମିଟେଡରେ ତେଜସ୍ୱୀ ଯାଦବ ଏବଂ ପରିବାରର ଅଂଶଧନ ଥିଲା ବୋଲି ସୂଚନା ମିଳିଛି।
ସିବିଆଇ ବିହାର, ଦିଲ୍ଲୀ ଏବଂ ହରିଆଣାର ୨୫ ଟି ସ୍ଥାନରେ ଚଢାଉ କରିଛି। ଏହାକୁ ନେଇ ଆରଜେଡି କେନ୍ଦ୍ର ବିରୋଧରେ ବର୍ଷିଛି। କାରଣ ଆରଜେଡିର ୫ ନେତାଙ୍କ ଘରେ ସିବିଆଇ ଏହି ଚଢାଉ କରିଥିଲା। କେବଳ ଏତିକି ନୁହେଁ, ଆରଜେଡି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସ୍କାନରକୁ ଆସିଛନ୍ତି। ତେଜସ୍ୱୀ ଯାଦବଙ୍କ ସମ୍ପତ୍ତି କେଉଁଠାରେ ଅଛି ସିବିଆଇ ମଧ୍ୟ ଚଢାଉ କରିଛି। ତେବେ ଗୁରୁଗ୍ରାମରେ ଥିବା ମଲ ସହ କୌଣସି ସମ୍ପର୍କ ନାହିଁ ବୋଲି ତେଜସ୍ୱୀ କହିଛନ୍ତି।
ଏହି ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବ, ରାବଡି ଦେବୀ, ହେମା ଯାଦବଙ୍କ ସମେତ ସିବିଆଇ ଅନେକ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ଲାଲୁ ପ୍ରସାଦଙ୍କ ହନୁମାନ କୁହାଯାଉଥିବା ଭୋଲା ଯାଦବ ମଧ୍ୟ ଜେଲରେ ଅଛନ୍ତି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳବାଇରେ ଗ୍ରୁପ୍ ଡି ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ, ଜବଲପୁର, କଲିକତା, ଜୟପୁର, ହାଜିପୁର, ଦିଲ୍ଲୀ, ପାଟନାର ଲୋକଙ୍କୁ ଚାକିରୀ ଦିଆଯାଇଥିଲା। ଯେଉଁମାନେ ଲାଲୁ, ରାବଡି ଦେବୀ, ଅନ୍ୟ ପରିବାର ସଦସ୍ୟ କିମ୍ବା ସେମାନଙ୍କ କମ୍ପାନୀ ଏକେ ଇନଫୋସିଷ୍ଟମ୍ ପିଭି ଲିମିଟେଡ୍ ନାମରେ ସେମାନଙ୍କର ଜମି ଦେଇଥିଲେ। ସିବିଆଇ ଏହାପୂର୍ବରୁ ୨୩ ସେପ୍ଟେମ୍ବର ୨୦୨୧ରେ ଏହି ମାମଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।
ଏଥି ସହିତ ସିବିଆଇ ଟିମ୍ ମଧ୍ୟ ଏହି ମାମଲାରେ ହରିଆଣାର ଗୁରୁଗ୍ରାମ ମଲ ଉପରେ ଚଢାଉ କରିଥିଲା। ଏହି ମଲ ନିଯୁକ୍ତି ଘୋଟାଲାରୁ ଉପାର୍ଜିତ ବେଆଇନ ଟଂକା ଏହି ମଲ୍ ନିର୍ମାଣରେ ବ୍ୟବହୃତ ହୋଇଛି ବୋଲି କୁହାଯାଉଛି। ସିବିଆଇ ସନ୍ଦେହ କରୁଛି ଯେ ଏହି ମଲ୍ ତେଜସ୍ୱୀ ଯାଦବ ଏବଂ ତାଙ୍କର କିଛି ପରିଚିତଙ୍କର ।
ତେଜସ୍ୱୀ କହିଛନ୍ତି ଯେ ଗୁରୁଗ୍ରାମରେ ଥିବା କ୍ୟୁବ୍ ମଲ୍ ସହିତ ତାଙ୍କର କୌଣସି ନେଣ ଦେଣ ନାହିଁ। ଯୀହା ତାଙ୍କ ପାଖରେ ରହିଛି ତାହା ସମସ୍ତଙ୍କ ସାମ୍ନାରେ ଅଛି । ଏହି ମଲ୍ ତାଙ୍କର ନୁହେଁ, କିନ୍ତୁ ବିଜେପି ସାଂସଦଙ୍କ ସହ ଏହାର କିଛି ସମ୍ପର୍କ ଅଛି। ଏହି ମଲକୁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଦଘାଟନ କରିଥିଲେ। ସେ ବିଜେପିର। ଏହି ମଲକୁ ତାଙ୍କର କହି କିଛି ମିଡିଆ ଭୁଲ ଖବର ପ୍ରସାରଣ କରୁଛନ୍ତି।
Comments are closed.