Latest Odisha News

BREAKING NEWS

ସିବିଆଇ-କୋଲକାତା ପୋଲିସ ମୁହାଁମୁହିଁ ପ୍ରସଙ୍ଗ: ଧାରଣାରୁ ଉଠିବା ପୂର୍ବରୁ ମମତା ନବୀନଙ୍କ ସହ ଆଲୋଚନା କରିବେ

କୋଲକାତା: ସିବିଆଇ ଓ କୋଲକାତା ପୋଲିସ ମଧ୍ୟରେ ଉପୁଜିଥିବା ବିବାଦ ଘଟଣାକୁ ନେଇ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି, ଧାରଣାରୁ ଉଠିବା ପୂର୍ବରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହିତ ଆଲୋଚନା କରିବେ ।

ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇକୁ ସହଯୋଗ କରିବାକୁ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ମମତା ବାନାର୍ଜୀ ଏହା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

“ମୋତେ ପ୍ରଥମେ ନେତାମାନଙ୍କ ସହିତ ଆଲୋଚନା କରିବାକୁ ଦିଅନ୍ତୁ । ଏସମ୍ପର୍କରେ ମୁଁ ନବୀନ ପଟ୍ଟନାୟକଜୀଙ୍କ ସହିତ ଆଲୋଚନା କରିବି । ମୁଁ ଏକୁଟିଆ ଯିବାକୁ ଚାହେଁନି । ମୁଁ ମୁଖ୍ୟ ବିରୋଧିଦଳ ମାନଙ୍କର ସମସ୍ତ ନେତାମାନଙ୍କ ସହିତ ଆଲୋଚନା କରିବାକୁ ଚାହେଁ, ଯେଉଁମାନେ କି ଏହି ଘଟଣାରେ ମୋତେ ଅକୁଣ୍ଠିତ ସମର୍ଥ ଜଣାଇଛନ୍ତି,” ବୋଲି ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଅପରାହ୍ନରେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆସିି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମୁଁ ତାଙ୍କୁ ଭେଟିବା ଲାଗି ଅପେକ୍ଷା କରିଛି ।

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଥିବା ଅଭିଯୋଗ କରି ମମତା କହିଛନ୍ତି, କେନ୍ଦ୍ର ସରକାର ଜାଣିଶୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

କେନ୍ଦ୍ର ଦ୍ୱାରା ସିିବିଆଇକୁ ଏକ ଅସ୍ତ୍ର ପରି ବ୍ୟବହୃତ କରାଯାଉଛି ବୋଲି ମମତା ଅଭିଯୋଗ କରି କହିଛନ୍ତି ।

“ଆପଣ ସୁଦିପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କଲେ, ଓଡ଼ିଶା ପଠାଇଦେଲେ । ତାପସ ପାଲଙ୍କୁ ଗିରଫ କରି ଓଡ଼ିଶା ପଠାଇଦେଲେ । ଏବେ ଶ୍ରୀକାନ୍ତ (ମୋହାତୋ) ଙ୍କୁ ଓଡ଼ିଶା ପଠାଇଦେଇଛନ୍ତି । ଏହା କ’ଣ?” ସେ ଏହା ପ୍ରଶ୍ନ କରି ପଚାରିଛନ୍ତି ।

ସିବିଆଇ ଉପରୋକ୍ତ ନେତାମାନଙ୍କୁ ସାରଦା ଓ ରୋଜ୍ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ କରି ଭୁବନେଶ୍ୱର ପଠାଇଦେଇଛନ୍ତି, ପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି ।

ବୁଧବାର ଦିନ ଅଦାଲତଙ୍କ ନିର୍ଦ୍ଦେଶରେ ମମତା ଖୁସିବ୍ୟକ୍ତ କରିଛନ୍ତି, କୌଣସି ଭାବେ ବିବ୍ରତ ନହୋଇ ଏହା ତାଙ୍କ ଦଳ ତଥା ପଶ୍ଚିମବଙ୍ଗ ଜନସାଧାରଣଙ୍କ ନୈତିକ ବିଜୟ ବୋଲି କହିଥିଲେ ।

Leave A Reply

Your email address will not be published.