ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଅଚାନକ ସିବିଆଇ ରେଡ୍ । ଭୁବନେଶ୍ଵରସ୍ଥିତ ହୋଟେଲ ମେ’ ଫେୟାର ସାମନାରେ ଏକ କାରରୁ ବିଡା ବିଡା ନୋଟ ସହ ସୁନା ଗହଣା ଜବତ କରିଛି ସିବିଆଇ । ଏଥିସହ ୪ଜଣଙ୍କୁ ଉଠାଇ ନେଇଛି ସିବିଆଇ । ନୟାପଲ୍ଲୀ ପୋଲିସର ସହଯୋଗରେ ସିବିଆଇ ଏହି ଚଢାଉ କରିଛି । ଯାହାକୁ ନେଇ ରାଜଧାନୀ ହଇଚଇ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ହୋଟେଲ୍ ମେ’ ଫେୟାର ସାମ୍ନାରେ ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆଦିତ୍ୟ ମହାପାତ୍ର ଏବଂ ତାଙ୍କର ସହଯୋଗୀ ଏକ ମର୍ସିଡିଜ୍ କାର୍ ଭିତରେ ବସି କାହାକୁ ଅପେକ୍ଷା କରିଥିବା ବେଳେ ଅଚାନକ ସିବିଆଇର ଏକ ଟିମ୍ ସେହି କାର୍ ଉପରେ ଚଢ଼ଉ କରି ଥିଲା । ଚଢାଉ କରି ଉଭୟ ଆଦିତ୍ୟ ମହାପାତ୍ର ଏବଂ ତାଙ୍କର ସହଯୋଗୀଙ୍କୁ ଧରିବା ସହ କାର୍ ସର୍ଚ୍ଚ କରିଥିଲା । କାର୍ ଖୋଜାଖୋଜି ପରେ ସେଥିରୁ କୋଟି କୋଟି ଟଙ୍କା ମିଳିବା ସହ ଅନେକ ମୁଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ କରିଥିଲା । ଏସବୁ ଧରି କାହାକୁ ଅପେକ୍ଷା କରିଥିଲେ ସେ ନେଇ ଅଧିକ ତଦନ୍ତ କରିବା ପରେ ହୋଟେଲ୍ ଭିତରେ ଅପେକ୍ଷା କରିଥିବା ଅନ୍ୟ ଦୁଇ ଜଣଙ୍କୁ କାବୁ କରିଥିଲା ସିବିଆଇ।
ସୂଚନାଯୋଗ୍ୟ, ବ୍ୟାପକ ଅର୍ଥ ହେରଫେର ଅଭିଯୋଗରେ ପୂର୍ବରୁ ସିବିଆଇ ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଉପରେ ନଜର ରଖିଥିଲା । ଗତକାଲି କୌଣସି କାର୍ଯ୍ୟର ଡିଲ୍ ପାଇଁ ସେଠାରେ ଅପେକ୍ଷା କରିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା ସିବିଆଇ ।
Comments are closed.