Latest Odisha News

ସିବିଆଇ ଷ୍ଟାଟସ ରିପୋର୍ଟ: କାହିଁକି ଏମିତି କହିଲେ ଟପ୍ କୋର୍ଟ?

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ପୁଣି କୋଲକାତା ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ହୋଇଛି । ଏହି ମାମଲାରେ ମଙ୍ଗଳବାର ଚତୁର୍ଥ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଘଟଣାର ତଦନ୍ତ କରୁଥିବା ସିବିଆଇ ଦାଖଲ କରିଛି ନୂଆ ଷ୍ଟାଟସ ରିପୋର୍ଟ ।  ସିବିଆଇ ଷ୍ଟାଟସ ରିପୋର୍ଟରେ କଣ ରହିଛି, ତାହା ଖୁଲାସା କରିବାକୁ ମନା କରିଦେଇଛନ୍ତି ଟପ୍ କୋର୍ଟ । କିନ୍ତୁ କୋର୍ଟ କହିଛନ୍ତି ଯେ, ସିବିଆଇ ଷ୍ଟାଟସ ରିପୋର୍ଟର ତଥ୍ୟ ଚିନ୍ତାଜନକ । ରିପୋର୍ଟ ସଂପର୍କରେ ଖୁଲାସା କଲେ ଯାଂଚ ପ୍ରଭାବିତ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

ନିଦରେ ଶୋଇନାହିଁ ସିବିଆଇ

 

ଆରଜି କର ହସପିଟାଲ କାଣ୍ଡର ଚତୁର୍ଥ ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଭିନ୍ନ ପକ୍ଷର ଦଲିଲ ଶୁଣିଛନ୍ତି । ସିବିଆଇ ଯାଂଚ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯାଂଚ ଏଜେନସୀ ନିଦରେ ଶୋଇନାହିଁ । ସତ ଖୋଜିବାକୁ ଯାଂଚ ଏଜେନସୀକୁ ସମୟ ଦିଆଯିବା ଦରକାର । ଚାର୍ଜସିଟ୍ ଦାଖଲ ପାଇଁ ଧାର୍ଯ୍ୟ ୯୦ ଦିନର ଟାଇନଲାଇନ ପାଇଁ ଆହୁରି କିଛି ଦିନ ରହିଛି । ତେଣୁ ଯାଂଚ ପାଇଁ ସମୟସୀମା ଧାର୍ଯ୍ୟ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

ମହିଳା ଡାକ୍ତରଙ୍କ ଡ୍ୟୁଟି ଆୱାର ଓ ସୁରକ୍ଷା ପ୍ରସଙ୍ଗରେ କ’ଣ କହିଲେ କୋର୍ଟ ?

 

ମହିଳା ଡାକ୍ତରମାନଙ୍କ ଡ୍ୟୁଟି ଆୱାର ଓ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଶୁଣାଣି ବେଳେ ଉଠିଛି । ଏ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କ ବିଜ୍ଞପ୍ତି ନେଇ ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମହିଳା ଡାକ୍ତରମାନଙ୍କ ଡ୍ୟୁଟି ଆୱାର ପରିବର୍ତତେ ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ମହିଳା ଡାକ୍ତରମାନେ ରାତିରେ ଡ୍ୟୁଟି କରିପାରିବେ ନାହିଁ ବୋଲି କେମିତି କହିପାରିବା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ । ମହିଳା ଡାକ୍ତରମାନେ କୌଣସି ଆଶ୍ୱସ୍ତି ଚାହାନ୍ତି ନାହିଁ । ସେମାନେ ସବୁ ସିଫ୍ଟରେ କାମ କରିବା ପାଇଁ ପ୍ରସ୍ତୁତ । ଏ ନେଇ ନୋଟିଫିକେସନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁରକ୍ଷା ନାଁରେ ମହିଳାଙ୍କ ସ୍ୱତନ୍ତ୍ରତା ଉପରେ ଅଙ୍କୁଶ ଲଗାଯାଇପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି ।

 

ନଇଁଲେ ମମତା, ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି

 

ଜୁନିଅର ଡାକ୍ତରମାନଙ୍କ ଦାବି ମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ଓ କୋଲକାତା ନର୍ଥ ଡେପୁଟି କମିଶନରଙ୍କୁ ହଟାଇବାକୁ ଘୋଷଣା କରିଛନ୍ତି ମମତା । ବିକ୍ଷୋଭକାରୀ ଡାକ୍ତରମାନେ ମମତାଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସୋମବାର ଜୁନିଅର ଡାକ୍ତରମାନଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିଥଲେ । ଆଲୋଚନା ପରେ ଜୁନିଅର ଡାକ୍ତରଙ୍କ ତିନି ପ୍ରମୁଖ ଦାବି ଅନୁସାରେ କୋଲକାତା ପୋଲିସ କମିଶନର ବୀନିତ ଗୋୟଲ, ସ୍ୱାସ୍ଥ୍‌୍ୟ ସେବା ନିର୍ଦ୍ଦେଶକ ଓ ମେଡିକାଲ ଏଜୁକେଶନ ନିର୍ଦ୍ଦେଶକଙ୍କୁ ହଟାଇବା ପାଇଁ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ବୀନିତ ଗୋୟଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଆଇପିଏସ ଅଫିସର ମନୋଜ ବର୍ମାଙ୍କୁ କୋଲକାତାର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଜୁନିଅର ଡାକ୍ତରମାନଙ୍କ ୯୯ ପ୍ରତିଶତ ଦାବି ପୂରଣ କରାଯାଇଛି ବୋଲି ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

 

ଚାପରେ ଆସି ମୁଣ୍ଡ ନୁଆଁଇଲେ

 

ଜୁନିଅର ଡାକ୍ତରମାନଙ୍କ ପ୍ରମୁଖ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହୋଇଛନ୍ତି । ଏହାକୁ ଜୁନିଅର ଡାକ୍ତରମାନଙ୍କ ନୈତିକ ବିଜୟ ବୋଲି କୁହାଯାଉଛି । ଆଉ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଚାପରେ ରହି ଦାବି ପୂରଣ କରିଛନ୍ତି ବୋଲି କିଛି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । ବ୍ୟାପକ ଜନ ଆକ୍ରୋଶ ସହ ରାଜନୈତିକ ବିରୋଧ ଓ ନିଜ ଦଳ ମଧ୍ୟରୁ ଅସନ୍ତୋଷ ମମତାଙ୍କୁ ନରମିବାକୁ ବାଧ୍ୟ କରିଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.