Latest Odisha News

କଂଗ୍ରେସ ବେଳେ ମୋଦୀଙ୍କୁ ମିଛ କେସ୍‌ରେ ଫସାଇବାକୁ ମୋ ଉପରେ ଚାପ ପକାଉଥିଲା ସିବିଆଇ: ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ସରକାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛ ଏନ୍‌କାଉଣ୍ଟର ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲା। ମୋଦୀଙ୍କୁ ମିଛ ମାମଲାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଶାହ।

ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ଶାହ ଏଭଳି କହିଛନ୍ତି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ମୋଦୀଙ୍କ ଖଣ୍ଡନ ପରେ ଶାହ ମୁହଁ ଖୋଲିଛନ୍ତି।

ଶାହ କହିଛନ୍ତି “ କଂଗ୍ରେସ ସରକାର ସମୟରେ ଏକ ମିଛ ଏନ୍‌କାଉଣ୍ଟର ମାମଲାରେ ମୋଦୀ ଜୀ(ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ)ଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।” ଏହା ସତ୍ତ୍ୱେ ବି ବିଜେପି କୌଣସି ହଙ୍ଗାମା କରି ନଥିଲା ବୋଲି ଶାହ କହିଛନ୍ତି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିରୋଧୀଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଟାର୍ଗେଟ୍ କରିଥିଲେ। କିଛି ଦଳ ଭ୍ରଷ୍ଚାଚାର ବଞ୍ଚାଅ ଅଭିଯାନ ଆରମ୍ଭ କରିଦେଇଛନ୍ତି ବୋଲି ମୋଦୀ କହିଥିଲେ। ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ବିରୋଧରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏକାଠୀ ହେବାକୁ ମୋଦୀ ଟାର୍ଗେଟ୍ କରିଥିଲେ।

ମୋଦୀ କହିଥିଲେ ଯେ ଆମ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଦ୍ୱାରା ଆମ ମୂଳ ଭିତ୍ତି ମଜଭୁତ ରହିଛି। କିନ୍ତୁ ବର୍ତ୍ତମାନ ଭାରତକୁ ରୋକିବାକୁ ଏହି ସାମ୍ବିଧାନିକ ମୂଳଭିତ୍ତି ଉପରେ ଆକ୍ରମଣ କରାଯାଉଛି।

ସୂଚନା ଥାଉକି, ୧୪ ବିରୋଧୀ ଦଳର ନେତା କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ନେଇ ସୁପ୍ରିମୋକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଏପ୍ରିଲ ୧୫ ତାରିଖରେ କୋର୍ଟ ଏହାର ଶୁଣାଣି କରିବେ।

Comments are closed.