Latest Odisha News

BREAKING NEWS

ଦେଶକୁ ଦୁର୍ନୀତିମୁକ୍ତ କରିବା ହେଉଛି ସିବିଆଇର ମୁଖ୍ୟ ଦାୟିତ୍ୱ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୋମବାର ୬୦ ବର୍ଷ ପୂରଣ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୀରକ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶବାସୀ ସିବିଆଇକୁ ନ୍ୟାୟର ବ୍ରାଣ୍ଡ ଭାବେ ଗ୍ରହଣ କରିଛନ୍ତି । ଏବେ ସିବିଆଇ ଲୋକଙ୍କ ଆଶା, ବିଶ୍ବାସ, ଭରସାର ପ୍ରତୀକ ପାଲଟିଛି । ଏଥିସହ ମୋଦି କହିଛନ୍ତି, ସିବିଆଇର ମୁଖ୍ୟ ଦାୟିତ୍ୱ ହେଉଛି, ଦେଶକୁ ଦୁର୍ନୀତିମୁକ୍ତ କରିବା । ଆଉ ଏଥିପାଇଁ ଦ୍ୱନ୍ଦର ଅବକାଶ ନାହିଁ । ଗୋଟିଏ ବି ଦୁର୍ନୀତିଖୋର ମଧ୍ୟ ଯେପରି ଖସି ନଯାଏ, ସେ ଦିଗରେ ସିବିଆଇ ତାର କାମ ଜାରି ରଖିବା ଉଚିତ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତି ଏକ ସାଧାରଣ ଅପରାଧ ନୁହେଁ। ଦୁର୍ନୀତି ଗରିବଙ୍କ ଅଧିକାର ଛଡ଼ାଇ ନେଇ ଅନେକ ଅପରାଧ ସୃଷ୍ଟି କରେ । ଗଣତନ୍ତ୍ର ଏବଂ ନ୍ୟାୟ ମାର୍ଗରେ ଦୁର୍ନୀତି ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ ଆପଣ(ସିବିଆଇ)ଙ୍କୁ କେଉଁଠି ବି ଅଟକିବାର ଆବଶ୍ୟକତା ନାହିଁ । ମୁଁ ଜାଣିଛି ଆପଣ(ସିବିଆଇ) ଯାହା ଉପରେ କର୍ଯ୍ୟାନୁଷ୍ଠାନ ନେଉଛନ୍ତି, ସେମାନେ ବେଶ ପ୍ରଭାବଶାଳୀ, ବହୁ ସମୟ ଯାଏଁ ସରକାର ଓ ସରକାରୀ ବ୍ୟବସ୍ଥାର ଅଂଶବିଶେଷ ମଧ୍ୟ । ଆପଣଙ୍କୁ କିନ୍ତୁ ନିଜ କାମରେ ଗୁରୁତ୍ୱ ଦେବାର ଅଛି ବୋଲି ସିବିଆଇର ସମସ୍ତ ଅଧିକାରୀଙ୍କ ଆହ୍ବାନ ଦେଇଛନ୍ତି ମୋଦି ।

ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସିବିଆଇ ସାଧାରଣ ଲୋକଙ୍କୁ ନିଜର କାର୍ଯ୍ୟ ଦକ୍ଷତା ସହିତ ଏକ ଆତ୍ମବିଶ୍ୱାସ ଓ ଭରସା ଦେଇଛି। ଆଜି ବି ଯେତେବେଳେ କେହି ଅନୁଭବ କରନ୍ତି ଯେ ଏକ ମାମଲା ଅସମ୍ପୂର୍ଣ୍ଣ ଅଟେ, ସେତେବେଳେ ସ୍ୱର ଉଠାଯାଏ ଯେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ। ସିବିଆଇ ଉପରେ ଥିବା ଭରସା ଯୋଗୁଁ ହିଁ ଏହା ଦ୍ବାରା ଘଟଣାର ତଦନ୍ତ କରାଇବା ପାଇଁ ଲୋକେ ଆନ୍ଦୋଳନ କରନ୍ତି । ଏଥିପାଇଁ  ସିବିଆଇକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରାଯାଉଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବୃତ୍ତିଗତ ଏବଂ ପ୍ରଭାବଶାଳୀ ଅନୁଷ୍ଠାନ ବିନା ଏକ ବିକଶିତ ଭାରତ ନିର୍ମାଣ ସମ୍ଭବ ନୁହେଁ ।  ତେଣୁ ଆଗାମୀ ୨୫ ବର୍ଷରେ ଭାରତକୁ ବିକଶିତ କରିବା ପାଇଁ କୋଟି କୋଟି ଭାରତୀୟ ନିଷ୍ପତ୍ତି ନେଇଛନ୍ତି  । ସେଥିପାଇଁ ସିବିଆଇ ଉପରେ ଏକ ବଡ଼ ଦାୟିତ୍ୱ ଅଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ସିବିଆଇର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡଲ, ଡାକ ଟିକେଟ ଓ ମୁଦ୍ରାର ଶୁଭାରମ୍ଭ କରିବା ସହ ଶିଲଂଗ, ପୁଣେ ଓ ନାଗପୁରର ନୂଆ କାର୍ଯ୍ୟାଳୟ ମଧ୍ୟ ଉଦଘାଟନ କରିଥିଲେ ।

Leave A Reply

Your email address will not be published.