Latest Odisha News

BREAKING NEWS

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରି-ଇଭାଲ୍ୟୁଏସନ୍ ରେଜଲ୍ଟ ପ୍ରକାଶିତ; ୱେବସାଇଟ୍‌ରେ ଉପଲବ୍ଧ ହେଲା ଫଳାଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ  ଏବଂ ଯାଞ୍ଚ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାର୍କରେ ଅସନ୍ତୁଷ୍ଟ ହୋଇ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ, ସେମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ cbse.gov.in କିମ୍ବା cbseresults.nic.in କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ। ଫଳାଫଳ ଦେଖିବା ପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରିବାକୁ ପଡ଼ିବ।

ସିବିଏସ୍‌ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଆବେଦନ କରିଥିବା ପ୍ରାୟ ୮୭ ପ୍ରତିଶତ ଛାତ୍ରଛାତ୍ରୀଙ୍କର ଖାତା ଯାଞ୍ଚ ଓ ପୁନଃମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି ଏବଂ ସେମାନଙ୍କର ଫଳାଫଳ ଘୋଷଣା କରାଯାଇଛି। ବାକି ୧୩ ପ୍ରତିଶତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ମଧ୍ୟ ଆସନ୍ତା କିଛି ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବ। ତେଣୁ ଯେଉଁମାନଙ୍କର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ, ସେମାନଙ୍କୁ ଆଦୌ ବ୍ୟସ୍ତ ନହେବାକୁ ବୋର୍ଡ ପରାମର୍ଶ ଦେଇଛି।

ଏହି ସମଗ୍ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଚଳିତ ବର୍ଷ ବେଶ୍ ସତର୍କତା ଅବଲମ୍ବନ କରିଛି। ଏଥିପାଇଁ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍, ଆଇଆଇଟି କାନପୁର ଏବଂ ଆଇଆଇଟି ମାଡ୍ରାସର ବୈଷୟିକ ବିଶେଷଜ୍ଞମାନଙ୍କ ସହାୟତା ନିଆଯାଇଥିଲା। ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କରେ ପରିବର୍ତ୍ତନ (ବୃଦ୍ଧି) ହୋଇଛି, ସେମାନେ ସେମାନଙ୍କର ନୂଆ ଡିଜିଟାଲ୍ ମାର୍କଶିଟ୍‌କୁ ‘ଡିଜିଲକର୍’ ଆପ୍‌ ମାଧ୍ୟମରେ ଡାଉନଲୋଡ୍ କରିପାରିବେ।

ଅନ୍ୟପଟେ, ଯେଉଁ ପରୀକ୍ଷାର୍ଥୀଙ୍କ ଖାତା ଯାଞ୍ଚ ପରେ ମାର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ ଅର୍ଥାତ୍ ‘ନୋ ଚେଞ୍ଜ’ ଆସିଛି, ସେମାନଙ୍କୁ ମଧ୍ୟ ବୋର୍ଡ ଆଉ ଏକ ସୁଯୋଗ ଦେବ। ଯଦି ସେମାନେ ଚାହିଁବେ, ତେବେ ନିଜର ଉତ୍ତରଖାତା ନିଜେ ଦେଖିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ଖୁବ୍‌ଶୀଘ୍ର ସ୍ୱତନ୍ତ୍ର ସୂଚୀ ଓ ଗାଇଡ୍‌ଲାଇନ୍ ଜାରି କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.