Latest Odisha News

BREAKING NEWS

ତାମିଲନାଡୁରେ ଭୟାବହ ଗ୍ୟାସ୍‌ ଲିକ୍‌: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର

ଚେନ୍ନାଇ: ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ରବିବାର ସକାଳେ ଏକ ବଡ଼ ଧରଣର ଶିଳ୍ପ ଦୁର୍ଘଟଣା ଘଟିଯାଇଛି। ପେରିୟାପାଲାୟମ ନିକଟସ୍ଥ କନ୍ନିଗାଇପେୟାର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ହଠାତ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ରୁ ଅଧିକ ଜଣ ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ କାରଖାନାରେ ଶ୍ରମିକମାନେ ନିଜ ନିଜ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ଗ୍ୟାସ୍ ପାଇପ୍‌ଲାଇନ୍‌ରେ କୌଣସି ତ୍ରୁଟି ଯୋଗୁଁ ଆମୋନିଆ ଗ୍ୟାସ୍ ବ୍ୟାପିବାକୁ ଲାଗିଥିଲା। ଆଖିପିଛୁଳାକେ ସାରା ପରିସରରେ ବିଷାକ୍ତ ଗ୍ୟାସ୍ ମାଡ଼ିଯାଇଥିଲା। କିଛି ବୁଝିବା ପୂର୍ବରୁ କାରଖାନା ଭିତରେ ଉପସ୍ଥିତ ଥିବା ଶ୍ରମିକମାନଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା ଏବଂ ସେମାନେ ଛଟପଟ ହେବାକୁ ଲାଗିଥିଲେ।

ଗ୍ୟାସର ପ୍ରଭାବ ଏତେ ତୀବ୍ର ଥିଲା ଯେ ପ୍ରାୟ ୪୫ ଜଣ ଶ୍ରମିକ ସେଠାରେ ଅଚେତ ହୋଇ ପଡ଼ିଥିଲେ। ବିଷାକ୍ତ ଗ୍ୟାସ୍ ଯୋଗୁଁ କିଛି ଶ୍ରମିକଙ୍କ ନାକ ଏବଂ ପାଟିରୁ ରକ୍ତ ସ୍ରାବ ମଧ୍ୟ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ଏହାକୁ ନେଇ କାରଖାନା ମଧ୍ୟରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରଭାବିତଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ, କିଛି ଶ୍ରମିକଙ୍କୁ ଚେନ୍ନାଇର ଷ୍ଟାନଲି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଆଇସିୟୁରେ ରଖାଯାଇ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି।

ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ସମୟରେ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି। ଏଥିସହିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଶ୍ରମିକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜ୍ୟପାଳ।

Comments are closed.