ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ର ଐତିହାସିକ ଆୟୋଜନକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଅଞ୍ଚଳରେ ସୁବିଧା ଓ ସୁରକ୍ଷା ପାଇଁ ରେଳବାଇ ଅନେକ ପ୍ରମୁଖ ପଦକ୍ଷେପ ନେଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଅଞ୍ଚଳର ୯ ରେଳ ଷ୍ଟେସନର ସୁପରିଚାଳନା ପାଇଁ ୧୧୮୬ ସିସିଟିଭି କ୍ୟାମେରା ଏବଂ ୱାର ରୁମର ଉଦଘାଟନ କରିଛନ୍ତି। ଏହା ସହିତ ୧୨ ଟି ଭାରତୀୟ ଭାଷା ଏବଂ ଇଂରାଜୀରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇଛି ।
ଏହି ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ମହାନ ତଥା ସଂଗଠିତ କରିବା ପାଇଁ ଭାରତୀୟ ରେଳବାଇ ୪୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ମହାକୁମ୍ବ ସମୟରେ ପ୍ରୟାଗରାଜ ଅଞ୍ଚଳର ୯ ଟି ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନକୁ ଅଲଗା ଭାବରେ ବିଭକ୍ତ କରାଯାଇଛି। ନାଲି, ନୀଳ, ହଳଦିଆ ଏବଂ ସବୁଜ ରଙ୍ଗ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ବିଷୟରେ ସୂଚନା ଦେବ। ଏହି ସ୍ଥାନରେ ବସିବା ଏବଂ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ମୋଟ ୧୩,୩୦୦ ଟ୍ରେନ୍ ଚଳାଚଳ କରିବ। ଏଥିରେ ୧୦,୦୦୦ ନିୟମିତ ଟ୍ରେନ୍ ଏବଂ ୩୩୦୦ ରୁ ଅଧିକ ସ୍ପେଶାଲ ଟ୍ରେନ୍ ରହିଛି।
ମହାକୁମ୍ଭ ସମୟରେ ପରିଚାଳନା ପାଇଁ ରେଳ ବୋର୍ଡ ଏକ ସ୍ୱତନ୍ତ୍ର ୱାର ରୁମ୍ ପ୍ରସ୍ତୁତ କରିଛି। ସେଠାରେ ସମସ୍ତ ପ୍ରମୁଖ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ୨୪ ଘଣ୍ଟିଆ ଭାବରେ ନିୟୋଜିତ ହେବେ। ପ୍ରୟାଗରାଜ ଅଞ୍ଚଳର ସମସ୍ତ ଷ୍ଟେସନରେ ପାଞ୍ଚ ସ୍ତରୀୟ ସିସିଟିଭି କ୍ୟାମେରା ନୀରିକ୍ଷଣ ବ୍ୟବସ୍ଥା କରାଯାଇଛି। ଏଥିରେ ୭୬୪ ଟି ନୂଆ କ୍ୟାମେରା ଯୋଡା ଯାଇଥିବା ବେଳେ ସେଥିମଧ୍ୟରୁ ୧୧୬ ଟି କ୍ୟାମେରାରେ ଫେସ ରେକଗନାଇଜ ସୁବିଧା ରହିଛି। ଏହା ବ୍ୟତୀତ ଡିଜିଟାଲ୍ ମହାକୁମ୍ବକୁ ଧ୍ୟାନରେ ରଖି ବାରକୋଡ୍ ଆଧାରିତ UTS ଟିକେଟ୍ ବ୍ୟବସ୍ଥା ଲାଗୁ କରାଯାଇଛି। ସେହିପରି ସାତଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯାଇଛି ।
ଅନ୍ୟପଟେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ରେଳବାଇ ବଡ଼ ଧରଣର ପଦକ୍ଷେପ ନେଇଛି। ପ୍ରତ୍ୟେକ ଷ୍ଟେସନରେ ଫାଷ୍ଟଏଡ ବୁଥ ଏବଂ ପର୍ଯ୍ୟବେକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଛି। ରେଳ ପରିସର ଏବଂ ପ୍ଲାଟଫର୍ମର ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦୦୦ ସାନିଟାରୀ ଗାର୍ଡ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ୧୦,୦୦୦ GRP ଯବାନ ଓ ୧୦୦୦ ସ୍ୱେଚ୍ଛାସେବୀ ମଧ୍ୟ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି।