Latest Odisha News

ସିସିଟିଭିରେ ଭରତପୁର ସତ !

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଜଟିଳ ରୂପ ନେଉଛି । ଘଟଣା ରାତି ଓ ପରବର୍ତ୍ତୀ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ସାମନାକୁ ଆସୁଛି । ହେଲେ ଭରତପୁର ଥାନା ଭିତରେ ସିସିଟିଭିକୁ ନେଇ ସସପେନ୍ସ ଲାଗିରହିଛି। ଘଟଣା ପରେ ଥାନାରେ ନୂଆ ସିସିଟିଭି ଲଗାଇବା ପାଇଁ କେବୁଲ ଲାଇନ୍ ବିଛାଯାଉଥିବା ବେଳେ ପୁରୁଣା ସିସିଟିଭି ଥାନା ଭିତରେ ହିଁ ପଡିରହିଛି। ପ୍ରଶ୍ନ ଉଠୁଛି, ଘଟଣା ଦିନ ଭରତପୁର ଥାନାରେ ସିସିଟିଭି ଲାଗିଥିଲା କି ? ଯଦି ଲାଗିନଥିଲା ପୁରୁଣା ସିସିଟିଭି କେଉଁଠୁ ଆସିଲା? ପୋଲିସ ନିଜ ଭୁଲକୁ ଲୁଚାଇବାକୁ ଘଟଣା ପରେ ଥାନାରୁ ସିସିଟିଭି କାଢି ଦେଇଛି କି ?

ଭରତପୁରରେ ସିସିଟିଭି ସସପେନ୍ସ

ଭରତପୁର ଥାନାରେ ନିର୍ଯାତନା ଘଟଣା ବଡ଼ ରୂପ ନେବା ପରେ ଏବେ ଥାନାରେ ସିସିଟିଭି କ୍ୟାମେରା ଲଗାଯାଉଛି । ତେବେ ସନ୍ଦେହ ବଢାଇଛି ଥାନା ପରିସରରେ ଗଦା ହୋଇ ରହିଥିବା ସିସିଟିଭି । ନୂଆ ସିସିଟିଭି ଲଗାଇବାକୁ କେବୁଲ ଲାଇନ୍ ବିଛା ହେଉଥିବା ବେଳେ ଥାନା ପରିସରରେ ପୁରୁଣା ସିସିଟିଭି କ୍ୟାମେରା କେଉଁଠୁ ଆସିଲା? ତଳେ ପଡି ରହିଥିବା ସିସିଟିଭି କ୍ୟାମେରା ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି। ଏସବୁ ସିସିଟିଭି କ୍ୟାମେରାରେ ଅଳନ୍ଧୁ ଓ କଳଙ୍କି ଲାଗିଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଥାନାରେ ସିସିଟିଭି ଲାଗିନଥିଲା ନା ଘଟଣା ପରେ ନିଜ ଭୁଲ ଉପରେ ପରଦା ପକାଇବାକୁ ପୋଲିସ ସିସିଟିଭି କ୍ୟାମେରା ଖୋଲି ଦେଇଛି, ସେନେଇ ପ୍ରଶ୍ନ ଉଠୁଛି । ଗତ ମାର୍ଚ୍ଚ ୧୧ତାରିଖରେ କମିଶନରେଟ୍ ପୋଲିସ ଅଧୀନରେ ଅତ୍ୟାଧୁନିକ ଭରତପୁର ଥାନାର ଲୋକାର୍ପଣ କରାଯାଇଥିଲା । ତେବେ ଆଦର୍ଶ ଥାନା ମାନ୍ୟତା ପାଇଥିବା ଏହି ଥାନାରେ କାହିଁକି ସିସିଟିଭି କ୍ୟାମେରା ଲାଗିନଥିଲା, ସେନେଇ ପ୍ରଶ୍ନ ଉଠୁଛି । ହାଇକୋର୍ଟ ବି ଥାନାରେ ସିସିଟିଭି ବ୍ୟବସ୍ଥା କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଗୁରୁତ୍ବ ଦେଇଛନ୍ତି ।

କ’ଣ କହୁଛି ପୀଡ଼ିତାଙ୍କ ସିସିଟିଭି ଫୁଟେଜ୍?

ଭରତପୁର ଥାନା ଭିତରେ ସେଦିନ କଣ ହୋଇଥିଲା? ଏନେଇ ଉତ୍ତର ମିଳିନଥିବା ବେଳେ ସୋସିଆଲ ମିଡିଆରେ ପୀଡିତାଙ୍କର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ରେଷ୍ଟୁରାଣ୍ଟରେ ପୀଡିତା ଓ ସେନା ଅଧିକାରୀ ମଉଜ କରୁଥିବା ଦେଖିବାକୁ ମିଳିଥିଲା। ଏବେ ଆହୁରି ଭିଡିଓ ସାମନାକୁ ଆସିଛି । ଗୋଟିଏ ଭିଡିଓ ପୀଡିତା ରେଷ୍ଟୁରାଣ୍ଟରୁ ବାହାରିବା ବେଳର ଦୃଶ୍ୟ ବୋଲି କୁହାଯାଉଛି । ଏଥିରେ ପୀଡ଼ିତା ନିଜ ନିୟନ୍ତ୍ରଣରେ ନଥିବା ଭଳି ଦେଖାଯାଉଛନ୍ତି । ଭିଡିଓରେ ଲିଫ୍ଟକୁ ଗୋଇଠା ମାରୁଛନ୍ତି ପୀଡିତା। ବିପର୍ଯ୍ୟସ୍ତ ପୋଷାକ ଦେଖିଲେ ପୀଡିତା ନିଶାସକ୍ତ ଥିବା ସନ୍ଦେହ ହେଉଛି । ଦ୍ବିତୀୟ ଭାଇରାଲ୍ ଭିଡିଓରେ ଥାନାରେ ନିର୍ଯାତନା ପରେ ପୀଡିତା ମେଡିକାଲକୁ ଆସିଛନ୍ତି । ହସପିଟାଲ ରିସେପ୍ସନରେ ଠିଆ ହୋଇଛନ୍ତି ପୀଡିତା । ଗଣମାଧ୍ୟମ ସାମନାରେ ସେ ହ୍ବିଲ୍ ଚେୟାରରେ ଆସିଥିବା ବେଳେ ମେଡିକାଲରେ ନିଜେ ଚାଲି କରି ଯାଉଥିବା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି, ସୋସିଆଲ୍ ମିଡିଆରେ ଏସବୁ ଭିଡିଓ କିଏ ଓ କାହିଁକି ଭାଇରାଲ୍ କରୁଛି? ଜାଣିଶୁଣି ମାମଲାରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି କି ?

ବିଚାର ବିଭାଗୀୟ ତଦନ୍ତ

ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଭରତପୁର ଥାନାରେ ନିର୍ଯାତନା ମାମଲାର ତଦନ୍ତ ହେବ । ୬୦ଦିନ ଭିତରେ ରିପୋର୍ଟ ଦେବେ କମିଶନ। ତେବେ ମାମଲାର ତଦନ୍ତ ଅନୁଧ୍ୟାନ ପାଇଁ ମନା କରିଛନ୍ତି ହାଇକୋର୍ଟ। ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ବିଜେଡି ମଙ୍ଗଳବାର ହେବାକୁ ଥିବା ହରତାଳ ପ୍ରତ୍ୟାହାର କରିଛି। ପୀଡିତା, ତାଙ୍କ ବାପା ଓ କ୍ୟାପଟେନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି । ପୀଡିତାଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ପୋଲିସ ନିର୍ଯାତନା ନେଇ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି । ଥାନାର ସିସିଟିଭି ରହସ୍ୟଘେରରେ ରହିଥିବା ବେଳେ ପୀଡିତାଙ୍କର ଭିଡିଓ ଲଗାତର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ କିଏ ଓ କାହିଁକି ପକାଉଛନ୍ତି ? ଏହାଦ୍ବାରା କି ନାରେଟିଭ୍ ପ୍ରସ୍ତୁତ କରିବାକୁ ଉଦ୍ୟମ ହେଉଛି? ଗୋଟେ ପଟେ ତଦନ୍ତ ଚାଲିଥିବା ବେଲେ ପୀଡିତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି କି?

Leave A Reply

Your email address will not be published.