ଭୁବନେଶ୍ୱର : ଦୀପାବଳି ନେଇ ସବୁଆଡେ ଉତ୍ସବମୁଖର ପରିବେଶ । କୋଭିଡ କଟକଣା ଭିତରେ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି ଲୋକେ । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ତେବେ ସବୁଜ ବାଣ କ’ଣ ? ଏହାକୁ ଫୁଟାଇଲେ କ’ଣ ଲାଭ ମିଳିବ ?
ଏହି ସବୁଜ ବାଣ ସାଧାରଣ ବାଣ ପରି କ୍ଷତିକାରକ ନୁହେଁ । ଏଥିରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ । ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ l ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ ଓ ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇଆସେ ।
ସେହିଭଳି ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ ।ହେଲେ ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ । ଏଥିରେ କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ । ତା ସହିତ ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ ।
ତେବେ ଏହି ସବୁଜ ବାଣକୁ ଫୁଟାଇଲେ ଲାଭ ବି ରହିଛି । ଏଥିରୁ ନିର୍ଗତ କଣିକା ପଦାର୍ଥ ୩୦-୩୫% ହ୍ରାସ ହୋଇଥିବାରୁ ଏହା ବାୟୁମଣ୍ଡଳକୁ କମ ପ୍ରଦୂଷିତ କରିଥାଏ। ସାଧାରଣ ବାଣ ଭଳି ଗ୍ରୀନ କ୍ରାକର ଜୋରରେ ଶବ୍ଦ କରିନଥାଏ। ଏହାର ଶବ୍ଦ କମ ଥିବା ସହ ଏଥିରୁ ପାଉଁଶ କମ ବାହାରିଥାଏ ।
ପରିବେଶ ପାଇଁ ଏହି ବାଣ ଅନୁକୂଳ ହୋଇଥିବାବେଳେ ଏହାକୁ ଅନୁମତି ମିଳିଛି l ତେବେ ସରକାରୀ ପଞ୍ଜୀକୃତ ଦୋକାନରୁ ଏହି ଗ୍ରୀନ କ୍ରାକର ମିଳିବ ସହିତ ଏହା ଅନଲାଇନରେ ମଧ୍ୟ ଗ୍ରୀନ କ୍ରାକର କିଣା ଯାଇପାରିବ ।
ଆଲୋକର ଏହି ପର୍ବ ଦୀପାବଳିରେ ସବୁଜ ବାଣ ବ୍ୟବହାର କରିଲେ ପରିବେଶ ସୁରକ୍ଷିତ ରହିବା ସହିତ ସମସ୍ତେ ସୁରକ୍ଷିତ ରହି ଦୀପାବଳି ପାଳନ କରିବେ ।
Comments are closed.