ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ ତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି।
ଧାମନଗରବାସୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇବା ସହିତ ସ୍ୱର୍ଗତଃ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଥିବା ସେ ନିଜ ପ୍ରେସ ବାର୍ତ୍ତାରେ କହିଛନ୍ତି। ସ୍ୱର୍ଗତଃ ସେଠୀଙ୍କ ଅଧୁରା କାର୍ଯ୍ୟକୁ ସୂରଜ ପୂରା କରିବାରେ ସୂରଜ ଯୋଗ୍ୟ ବୋଲି ଫଳାଫଳ ଘୋଷଣା ହେବା ପରେ ସମୀର ମହାନ୍ତି ଓ ବହୁ ନେତୃବୃନ୍ଦ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ କାର୍ଯ୍ୟାଳୟ ପରିସର ନାଚଗୀତ, ବାଣବାଜା ଶବ୍ଦରେ ପ୍ରକମ୍ପିତ ହୋଇଥିଲା। ସମସ୍ତେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଥିଲା।
ସୂରଜଙ୍କ ବିଜୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ବିଜେପି ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।