Latest Odisha News

BREAKING NEWS

2024 ପୂର୍ବରୁ ପ୍ରି ଟେଷ୍ଟ ଫଳାଫଳ: ସାତରୁ ବିଜେପି ଜିତିଲା ଚାରି

ନୂଆଦିଲ୍ଲୀ:  6 ଟି ରାଜ୍ୟରେ 7 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନ ଏକପ୍ରକାର ସମ୍ମାନ ପାଇଁ ଯୁଦ୍ଧ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା, ବିହାର, ୟୁପି,ମହାରାଷ୍ଟ୍ର, ହରିୟାନା ଏବଂ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ କିଏ ଜିତିବ ତାକୁ ନେଇ ମାସେ ହେଲା ଅଙ୍କ କଷା ଚାଲିଥିଲା । କେଉଁଠି ଦଳର ସମ୍ମାନ ବାଜି ଲାଗିଥିଲା ତ କେଉଁଠି ପରିବାରର ସମ୍ମାନ । ତେବେ ଏସବୁ ଫଳାଫଳକୁ ନେଇ ଏବେ ବିଜେପି ଆଉ ବିରୋଧୀମାନଙ୍କ ମଧ୍ୟରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି । କାରଣ ବିରୋଧୀଙ୍କ ପାଇଁ 2024 ଲୋକସଭା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ କରିବାର ଏହା ଏକ ଛୋଟ ଟେଷ୍ଟ ଥିଲା ।  ତେବେ ଆସନ୍ତୁ ନଜର ପକାଇବା କିଏ କେଉଁ ଆସନରେ ଜିତିଲେ ।

ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ  ଶାସକ ଆଞ୍ଚଳିକ ଦଳ ବିଜେଡି ଏବଂ ବିଜେପି ମଧ୍ୟରେ ଏହି ଆସନକୁ ନେଇ ଟକ୍କର ଚାଲିଥିଲା । ପୂର୍ବରୁ ଯେତେ ଉପନିର୍ବାଚନ ହୋଇଛି ସବୁଠାରେ ବିଜେଡି ଜିତିବାର ନଜିର ରହିଛି । କିନ୍ତୁ ଏଥର  ଧାମନଗରରେ ବିଜେପି ବିଜେଡିକୁ ହରାଇଦେଇଛି । ଗତଥର ବିଜେପି ଏହି ଆସନରେ ଜିତିଥିଲା ।  ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାରେ ଲଢ଼ାଇ ପାଇଁ ଠିଆ କରାଇଥିଲା । ବିଜେପି ଗତଥର ଯେତେକି ଭୋଟ ପାଇଥିଲା ଏଥର ହାରାହାରି  ପାଖାପାଖି ସେତିକି ଭୋଟ ପାଇଥିବା ଦେଖାଦେଇଛି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ବିଜେଡିର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିବା ସୂଚନା ମିଳିଛି। ଏହି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ୍‌ ଯାଇଛି।

ଧାମନଗରବାସୀ ଭାରତୀୟ ଜନତା ପାର୍ଟି ଉପରେ ଭରସା ରଖି  ପୁଣି ଥରେ ବିଜେପିକୁ ବିଜୟ ଦେଇଛନ୍ତି। ଏଠାକାର ମତଦାତାମାନେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ  ଭୋଟ ଦେଇ ବିଜୟୀ କରାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସେହିପରି ହରିୟାଣାରେ ମଧ୍ୟ ବିଜେପି -କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା । ଏଠାରେ ଆପ୍ ମଧ୍ୟ ଜିତିବ ବୋଲି ଭବିଷ୍ୟବାଣୀ କରିଥିଲା ।   ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପାରିବାରିକ ଆସନ ଆଦମପୁର ଏଥର ପରିବାର ପାଇଁ ସମ୍ମାନ ଥିଲା । କଂଗ୍ରେସରୁ ଭବ୍ୟ ବିଷ୍ଣୋଇ ବିଜେପିକୁ ଯାଇ ନିର୍ବାଚନ ଲଢ଼ିଥିଲେ ।  କଂଗ୍ରେସରୁ ବିଜେପିକୁ ଯିବା ପରେ ତାଙ୍କୁ ଦଳ ଟିକେଟ ଦେଇଥିଲା । ଏହି ଆସନ କଂଗ୍ରେସ ଗଡ଼ ଥିଲା । ଭବ୍ୟଙ୍କ ବାପା  କୁଲଦୀପ ବିଷ୍ଣୋଇ ଆଦମପୁର ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏଠାରେ ଉପ-ନିର୍ବାଚନରେ ଦଳ ତାଙ୍କ ପୁଅ ଭବ୍ୟଙ୍କୁ ଲଢ଼େଇ ପାଇଁ ସୁଯୋଗ ଦେଇଥିଲା । ଆଉ ସେ ମଧ୍ୟ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶ ପରାଜିତ ହୋଇଛନ୍ତି ।  ସବୁଠୁ ବଡ଼ କଥା ହେଲା ଏହି ଆସନରେ ଆପ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଜିତିବା କଥା କହୁଥିଲେ । କିନ୍ତୁ ଆପ ଏଠାରେ ଅମାନତ ହରାଇଛି ।

ଉତ୍ତରପ୍ରଦେଶରେ ଗୋଲା ଗୋକର୍ଣ୍ଣନାଥ ବିଧାନସଭା ନିର୍ବାଚନରେ ବିଜେପିର ଅମାନ ଗିରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ବିନୟ ତିୱାରୀଙ୍କୁ 34,000 ଭୋଟରେ ପରାସ୍ତ କରିଛନ୍ତି। ଏହି ଉପନିର୍ବାଚନ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିଲା । 2024 ନିର୍ବାଚନ ପୂର୍ବରୁ ୟୁପିରେ ବିଜେପି – ସମାଜବାଦୀ ପାର୍ଟି ମଧ୍ୟରେ ଲଢ଼େଇର ଟେଷ୍ଟ ଏହି ଆସନ ଥିଲା । ତେବେ ୟୁପିବାସୀ ଏହି ଆସନରେ ଯୋଗୀଙ୍କୁ ଆହୁରି ବଳ ଦେଇଛନ୍ତି ।

ବିହାରରେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଆଉ ଏକ ଆସନରେ ପରାଜିତ ହୋଇଛି । ବେଆଇନ ଭାବେ ବନ୍ଧୁକ ରଖିବା ପାଇଁ ଅଯୋଗ୍ୟ ହୋଇଥିବା ଅନନ୍ତ ସିଂଙ୍କ ପତ୍ନୀ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ମୋକାମାରୁ ଜିତିଛନ୍ତି। ଗୋପାଳଗଞ୍ଜରେ ବିଜେପି ପ୍ରାର୍ଥୀ କୁସୁମ ଦେବୀ  ଆରଜେଡିର ମୋହନ ଗୁପ୍ତାଙ୍କୁ ପରାସ୍ତ କରିଛନ୍ତି।  ଆଗାମୀ ଲୋକସଭା ଆସନ ପୂର୍ବରୁ ଏହା ମଧ୍ୟ ବିହାର ପାଇଁ ଏସିଡ ଟେଷ୍ଟ ଥିଲା । ନୀତିଶ କୁମାର କହିଥିଲେ ଦୁଇଟି ଆସନରେ ବିଜେପି ହାରିବ । କିନ୍ତୁ  ବିଜେପି ଗୋଟିଏରେ ଜିତି ଆରଜେଡିକୁ ଟକ୍କର ଦେଇଥିବା ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

ତେଲେଙ୍ଗାନାର ମୁନୁଗୋଡ ବିଧାନସଭା ଏଥର କଡା ଟକ୍କର ଦେଖିବାକୁ ମିଳିଥିଲା । ଶାସକ ଦଳ ଟିଆରଏସ ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଡା ଟକ୍କର ଦେଇଥିଲେ ମଧ୍ୟ ବିଜେପି ଏହି ଆସନରେ ପରାଜିତ ହୋଇଛି । ଟିଆରଏସ ପ୍ରାର୍ଥୀ କୁସୁକୁନ୍ତଳା ପ୍ରଭାକର ରେଡ୍ଡୀ ମୁନୁଗୋଡରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ କୋମାଟେ ରେଡି ରାଜ ଗୋପାଳ ରେଡ୍ଡୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ମହାରାଷ୍ଟ୍ରରେ ଶିବସେନା ପ୍ରାର୍ଥୀ ରିତୁଜା ଲାଟକେ ଆନ୍ଧେରି ପୂର୍ବ ଉପ-ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ତାଙ୍କ ସ୍ବାମୀଙ୍କୁ ସମ୍ମାନ ଜଣାଇ ଏଠାରେ ଲଢ଼ିନଥିଲା। ସେଠାରେ, ନୋଟା ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଭୋଟ୍ ପାଇଛି, ରିତୁଜା ଲାଟେଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ପ୍ରତ୍ୟାହାର କରିନେଇଥିଲା।

ଏହି ନିର୍ବାଚନ ଫଳାଫଳରୁ ଏହା କୁହାଯାଇପାରେ ଯେ ସବୁ ରାଜ୍ୟରେ ବିଜେପି ସହ ଅନ୍ୟ ଦଳର କଡା ଟକ୍କର ଦେଖିବାକୁ ମିଳିଛି । ହରିୟାନାରେ ଆପ ର କିଛି ସ୍ଥିତି ନାହିଁ । ବିହାରରେ ଏଆଇଏମଆଇଏମର ମଧ୍ୟ ଲଢ଼େଇ ପାଇଁ ସାମର୍ଥ୍ୟ ନାହିଁ । ୟୁପିରେ ଅଖିଳେଶଙ୍କ ଉପରେ ଯୋଗୀ ଏବେ ବି ଭାରି ଅଛନ୍ତି । ଆଉ ଟିଆରଏସ ତେଲେଙ୍ଗାନାରେ ନିଜର ବିଜୟ ଧାରା ବଜାୟ ରଖିଛି ।

Leave A Reply

Your email address will not be published.