ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ କରି ଜନଗଣନା କରାଯାଇଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ । ଏହା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସେ ସ୍ପଷ୍ଟ କରିଛନ୍ତି ।
ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଅନ୍ୟପଟେ, ଜନଗଣନା କାର୍ଯ୍ୟର ଅଗ୍ରଗତି ଓ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜନଗଣନା ସମନ୍ୱୟ କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଜନଗଣନା ପ୍ରକ୍ରିୟାକୁ କିପରି ସୁରୁଖୁରୁରେ ଶେଷ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୧ ମସିହାରେ ଶେଷ ଥର ପାଇଁ ହୋଇଥିଲା ଜନଗଣନା । ଏହାର ୧୫ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଦେଶର ନାଗରିକଙ୍କ ସଂଖ୍ୟା ଗଣନା ପ୍ରକ୍ରିୟା । କେବଳ ନାଗରିକଙ୍କ ସଂଖ୍ୟା ନୁହେଁ, ସେମାନଙ୍କ ସମ୍ପର୍କିତ ୩୩ଟି ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆଜି ଠାରୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି ।