Latest Odisha News

ଜୁଲାଇ ଯାଏ ପିଡିଏସରେ ମିଳିବନି ଗହମ 

ଭୁବନେଶ୍ବର:ଜୁଲାଇ ମାସ ପର‌୍ୟ୍ୟନ୍ତ ପିଡିଏସରେ ମିଳିବନି ଗହମ  । ଗହମ ବଦଳରେ ଚାଉଳ ଦିଆଯିବ ବୋଲି ସୂଚନା ଦେଇଛି ଏଫସିଆଇ । ଗହମ ଅଭାବ ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି । ଜୁନ ୨୩ ତାରିଖ ସୁଦ୍ଧା ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ କେନ୍ଦ୍ର ଚାଉଳ ଦେବ।

ଏଠି କହିରଖିବୁ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ। ଏଥିରେ ୨ଟି ବର୍ଗରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରି ଥାଆନ୍ତି।

ଓଡ଼ିଶାରେ ଗହମ ଉତ୍ପାଦନ ଯଥେଷ୍ଟ ନ ଥିବାରୁ ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦିଏ। ହେଲେ ଗତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ଅନ୍ୟ ଦେଶକୁ ଗହମ ପଠାଇ ପାରିଲା ନାହିଁ। ଫଳରେ ଗହମ ଅଭାବ ଦେଖା ଦେଇଥିଲା । ଯାହାର ପ୍ରଭାବ ପିଡିଏସରେ ମଧ୍ୟ ପଡ଼ିଥିଲା।

ପରିସ୍ଥିତିକୁ ଦୃଷ୍ଟିରେ ରଖି  କେନ୍ଦ୍ର ପକ୍ଷରୁ ଗତବର୍ଷ ଜୁନ ମାସରୁ ୧୦ ମାସ ପର‌୍ୟ୍ୟନ୍ତ ପିଡିଏସରେ ଗହମ ଯୋଗାଣ ବନ୍ଦ  ଥିଲା । ଏବେ ଏହାକୁ ଯାହା ଜୁନ ୨୩ ତାରିଖ ପର‌୍ୟ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଅର୍ଥାତ ଜୁଲାଇ ମାସ ପର‌୍ୟ୍ୟନ୍ତ ପିଡିଏସରେ ଗହମ ମିଳିବ ନାହିଁ।

ଓଡ଼ିଶାରେ ଗହମ ତୁଳନାରେ ଚାଉଳର ଚାହିଦି ଥିବାରୁ ଗହମ ବଦଳରେ ଚାଉଳ ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ତେଣୁ ରାଜ୍ୟ ସରକାରଙ୍କ ଅନୁରୋଧରେ ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ ଚାଉଳ ପ୍ରଦାନ କରାଯାଉଥିବା ନେଇ ଏଫସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଜୁନ ୨୩ ପରେ  କେନ୍ଦ୍ର ସରକାର ପୂର୍ବଭଳି ଗହମ ଦେବେ ନା ଚାଉଳ ଯୋଗାଣ ପ୍ରକ୍ରିୟା ଜାରି ରଖିବେ ତାହା ସ୍ପଷ୍ଟ ହୋଇନାହିଁ।

 

 

 

Leave A Reply

Your email address will not be published.