Latest Odisha News

BREAKING NEWS

ଗଞ୍ଜାମ ଜିଲାର ବିପର୍ଯ୍ୟୟ ପରିଚାଳନାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପ୍ରଶଂସା

ବ୍ରହ୍ମପୁର:ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଜିଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ, ଗଞ୍ଜାମ ଜିଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନକୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ ବ୍ୟତୀତ ଜିଲା ପ୍ରଶାସନ ଦ୍ବାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକ ଜାତୀୟ ସ୍ତରରେ ଠିକ ରୂପେ ଉପସ୍ଥାପନା କରିବାକୁ ମତ ଦେଇଥିଲେ ।

ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷ ଠାରେ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ବାରା ପ୍ରେରିତ ଦୁଇ ଜଣ ପର୍ଯ୍ୟବେକ୍ଷକ କର୍ଣ୍ଣେଲ ନଦୀମ ଆର୍ଷଦ ଏବଂ କର୍ଣ୍ଣେଲ ଡକ୍ଟର ସଞ୍ଜୟ କୌଶଲ ଉପସ୍ଥିତ ରହି ଜିଲାରେ ବିପର୍ୟୟ ସମୟରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କରାଯାଉଅଛି ତାହା ଜାଣିବାକୁ ଚାହିଁଥିଲେ ।

ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜ ବକ୍ତବ୍ୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗଞ୍ଜାମ ଜିଲା ବିପର୍ଯ୍ୟୟର ପ୍ରବଣ ଜିଲା ଭାବରେ ସଦା ସର୍ବଦା ବିପର୍ଯ୍ୟୟ ମୁକାବିଲା କରିଆସୁଛି। ଏଣୁ ଜିଲା ପ୍ରଶାସନର ସମସ୍ତ ବିଭାଗ ଓ ଲାଇନ ବିଭାଗ ଗୋଟିଏ ଟିମ୍‌ ଭାବେ ମିଳିତ ହୋଇ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ତେଣୁ କରି ଯେ କୌଣସି ବିପର୍ଯ୍ୟୟର ମୁକାବିଲାରେ ସଫଳ ହୋଇ ଜନ ଜୀବନକୁ ସୁରକ୍ଷିତ ରଖିଆସୁଛି । ଜିଲାର ଗୋଟିଏ ହେଲେ ଜୀବନ ଯେପରି ମୃତ୍ୟୁ ମୁଖରେ ପଡିବ ନାହିଁ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ‘ଜିରୋ କାଜୁଆଲ୍‌ଟି’କୁ ଗୁରୁତ୍ବ ଦିଆଯାଉଥିବା ସେ ପ୍ରକାଶ କରିଥିଲେ ।

ବିପର୍ଯ୍ୟୟର ସୂଚନା ପାଇବାପରେ ଏହାର ପୂର୍ବ ପ୍ରସ୍ତୁତି କିଭଳି କରାଯାଉଛି, ବିପର୍ଯ୍ୟୟ ସମୟରେ କେଉଁ ପଦକ୍ଷେପ ଏବଂ ବିପର୍ଯ୍ୟୟ ଟଳିବା ପରେ କିଭଳି ଭାବରେ ପୁନଃ ଥଇଥାନର ବ୍ୟବସ୍ଥା କରାଯାଉଛି, ସେସମ୍ପର୍କରେ ସମସ୍ତ ବିଭାଗର ଅଧିକାରୀଗଣ ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ବିଶେଷ କରି ଓଡ୍ରାଫ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ଜଳସେଚନ, ସ୍ୱାସ୍ଥ୍ୟ ବିଭାଗ, ପଶୁ ସମ୍ପଦ, ବିଦ୍ୟୁତ ବିଭାଗ, କୋଠବାଡି ବିଭାଗ, ଯୋଗାଣ ବିଭାଗ ପ୍ରଭୃତି ସମସ୍ତ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଯାଇଥିଲେ ।

ବିପର୍ଯ୍ୟୟର ମୁକାବିଲା ଦିଗରେ ଜିଲା ବହୁତ ସୁନ୍ଦର ଏବଂ ଗୁଣାତ୍ମକ ପଦକ୍ଷେପ ଗ୍ରହଣ କରୁଛି, କିନ୍ତୁ ଏହାର ସଠିକ ପ୍ରଚାର ପ୍ରସାର ହେଲେ ଏହା ନିଶ୍ଚିତ ଭାବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବ ବୋଲି ପ୍ରକାଶ କରିଥିଲେ । ଏହି ଆଲୋଚନାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସିଜିଏମ ସବ୍ୟସାଚୀ ହୋତା, ସେଲଟର ଏକ୍ସପେର୍ଟ ମେଘନାଦ ବେହେରା, ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ସମସ୍ତ ଜିଲାସ୍ତରୀୟ ଅଧିକାରୀ ଏବଂ ଲାଇନ୍‌ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.