Latest Odisha News

‘ଅଗ୍ନିପଥ’କୁ ବିରୋଧ ଭିତରେ ଚଳିତ ବର୍ଷ ନିଯୁକ୍ତି ପାଇଁ କେନ୍ଦ୍ର ବଢ଼ାଇଲା ବୟସ ସୀମା

ନୂଆଦିଲ୍ଲୀ: ସେନାର ବଳ ବଢ଼ାଇବାକୁ ଯାଇ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ବାବଦରେ ଘୋଷଣା କରିଛନ୍ତି । କିନ୍ତୁ ଏହା ଏକ ୪ ବର୍ଷିଆ ଠିକା ନିଯୁକ୍ତି ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଇତିମଧ୍ୟରେ କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିରୋଧ ପ୍ରଦର୍ଶନକୁ ନେଇ କଂଗ୍ରେସ ନେତା ମନୀଷ ତିଓ୍ୱାରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ସରକାର ମଙ୍ଗଳବାର ‘ଅଗ୍ନିପଥ’ ଯୋଜନା ଘୋଷଣା କରି କହିଥିଲେ ଯେ ସମସ୍ତ ନୂଆ ନିଯୁକ୍ତିପ୍ରାପ୍ତଙ୍କ ବୟସ ୧୭ରୁ ୨୧ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ସୂଚନା ଦେଇଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ସମ୍ଭବ ହୋଇନଥିବା କଥାକୁ ଦୃଷ୍ଟିରେ ରଖି, ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୨୦୨୨ ପାଇଁ ପ୍ରସ୍ତାବିତ ନିଯୁକ୍ତି ପ୍ରକ୍ରିୟା ପାଇଁ ଏକକାଳୀନ ବୟସ ସୀମାରେ କୋହଳ କରାଯିବ। ଏହି ନିୟୁକ୍ତି ପ୍ରକ୍ରିୟା ପାଇଁ ଏବେ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି।

ଏହି ନିଯୁକ୍ତି ଏକ ଠିକା ପ୍ରକ୍ରିୟା ହୋଇଥିବାରୁ ଏହାକୁ ବିରୋଧ କରି ଗୁରୁବାର ଦିନ ପ୍ରତିବାଦକାରୀ ବିହାରରେ ଟ୍ରେନରେ ନିଆଁ ଲଗାଇ ଦେବା ସହିତ ରାସ୍ତା ରୋକ କରିଥିଲେ। ଏଥିସହ ପୁଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ଅନେକ ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି।

କଂଗ୍ରେସ ନେତା ତଥା ସାଂସଦ ମନୀଷ ତେୱାରୀ ଗୁରୁବାର ଅଗ୍ନିପଥ ଯୋଜନାରେ ତାଙ୍କ ଦଳର ଆଭିମୁଖ୍ୟଠାରୁ ଭିନ୍ନ ମତ ରଖି କହିଛନ୍ତି ଯେ ନୂଆ ଅଗ୍ନିପଥ ଯୋଜନା ସଠିକ୍ ଦିଗରେ ଏକ ସଂସ୍କାର । ସେ ଟୁଇଟ୍ କକି କହିଛନ୍ତି ଯେ ଅଗ୍ନିପଥ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସମ୍ପୃକ୍ତ ଯୁବକମାନଙ୍କ ସହ ମୁଁ ସହାନୁଭୂତି ଦେଖାଉଛି। ବାସ୍ତବତା ହେଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ଭାରତର ଏକ ଯୁବ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି।

ସଶସ୍ତ୍ର ବାହିନୀ ପାଇଁ ନିଯୁକ୍ତି ଗ୍ୟାରେଣ୍ଟି କାର୍ୟ୍ୟକ୍ରମ ହେବା ଉଚିତ ନୁହେଁ। ଦଶନ୍ଧି ପୁରୁଣା ଚୟନ ପ୍ରକ୍ରିୟାରେ ଏକ ପ୍ରମୁଖ ପରିବର୍ତ୍ତନର ଅଂଶ ହେଉଛି ଏହି ଯୋଜନା।

କଂଗ୍ରେସ ଏହି ଯୋଜନା ଉପରେ ସରକାରଙ୍କୁ ସମାଲୋଚନା କରିଥିବାରୁ ଏହାକୁ ସ୍ଥଗିତ ରଖିବାକୁ ଦାବି କରିଥିବାରୁ ତାଙ୍କ ବିବୃତ୍ତି ତାଙ୍କ ଦଳର ଆଭିମୁଖ୍ୟର ବିରୋଧୀ। ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ହିଁ ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଉଚିତ ବୋଲି କଂଗ୍ରେସ କହିଛି।

Comments are closed.