ଭୁବନେଶ୍ୱର: ପାଲାସା–ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍ରୁ ଦକ୍ଷିଣ ଉପକୂଳ ରେଳପଥ (SCoRly) କୁ ସ୍ଥାନାନ୍ତରଣ ନେଇ ଆଜି ଓଡ଼ିଶାର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ,ଅନ୍ୟାୟ ଓ ଅଗ୍ରହଣୀୟ ବୋଲି କଟୁ ଭାବେ ନିନ୍ଦା କରାଯାଇଛି ।ଡବଲ ଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧ ରେ କାର୍ଯ୍ୟ କରୁଛି ବୋଲି ମିଳିତ ବିରୋଧୀ ଦଳମାନଙ୍କ ତରଫ ରୁ କୁହାଯାଇଛି ।
୨୦୧୯ ମସିହାରେ କେନ୍ଦ୍ର ସରକାର ଦକ୍ଷିଣ ଉପକୂଳ ରେଳପଥ ଜୋନ୍ ଗଠନ ଘୋଷଣା କରିଥିଲେ । ଵର୍ତ୍ତମାନ ୨ ଏପ୍ରିଲ୍ ୨୦୨୬ ରେ ରେଳ ବୋର୍ଡ ପାଲାସା–ଇଚ୍ଛାପୁରମ୍ (ପ୍ରାୟ ୫୦ କି.ମି.) ରେଳ ବିଭାଗକୁ (Section) ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନରୁ ଦକ୍ଷିଣ ଉପକୂଳ ରେଳପଥର ବିଶାଖାପାଟଣା ଡିଭିଜନକୁ ସ୍ଥାନାନ୍ତର କରିବା ପାଇଁ ନୋଟିସ ଜାରି କରିଛନ୍ତି । ଏହି ବିଭାଗ ହାୱଡ଼ା–ଚେନ୍ନାଇ ମୁଖ୍ୟ ରେଳପଥର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।
ବୈଠକରେ ମତ ପ୍ରକାଶ ପାଇଛି ଯେ ଏହି ସ୍ଥାନାନ୍ତରଣ ଫଳରେ ପୂର୍ବତଟ ରେଳପଥର ଆକାର କମିବା ସହ ରାଜସ୍ୱ ହ୍ରାସ ହେବ। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ଦେଶର ସର୍ବାଧିକ ରାଜସ୍ୱ ଉପାର୍ଜନକାରୀ ଜୋନ୍ମାନଙ୍କ ମଧ୍ୟରୁ ଅନ୍ୟତମ ଜୋନ୍ ଭାବେ ରେକର୍ଡ ରହିଛି। ଗତ ୨୫ବର୍ଷ ଭିତରେ ଓଡିଶା ରେଳବାଇ କୁ ୩ଲକ୍ଷ କୋଟି ଲାଭ ଦେଇଥିବା ବେଳେ ଓଡ଼ିଶାର ରେଳ ଭିତ୍ତଭୂମିର ବିକାଶ ଏବଂ ରେଳ ବିଭାଗ ରେ ଓଡ଼ିଆ ଯୁବକ ଯୁବତୀଙ୍କ ନିଯୁକ୍ତି ଇତ୍ଯାଦି ସବୁ କ୍ଷେତ୍ର ରେ କେନ୍ଦ୍ର ସରକାର ଅତ୍ୟନ୍ତ ବୈଷମ୍ୟ ମୂଳକ ମନୋଭାବ ସହିତ ଐତିହାସିକ ଭାବେ ଅନ୍ୟାୟ କରିଛନ୍ତି ବୋଲି ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ କୁହାଯାଇଛି ।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଭାରତୀୟ ରେଳବାଇ କୁ ରାଜ୍ଯ ଭିତ୍ତିକ କରିବା ପାଇଁ ଯୋଜନା ନେବା ନିନ୍ଦନୀୟ ଅଟେ । ଏହା ସତ୍ତ୍ୱେ ଏହାକୁ ଦୁର୍ବଳ କରିବା ଓଡ଼ିଶାର ଅର୍ଥନୈତିକ ସ୍ୱାର୍ଥ ଉପରେ ସିଧା ଆଘାତ ଏବଂ ଓଡ଼ିଶା ବିରୋଧୀ ପଦକ୍ଷେପ ବୋଲି ବିରୋଧୀ ଦମାନଙ୍କ ତରଫ ରୁ ମତ ପ୍ରକାଶ କରାଯାଇଛି । କେନ୍ଦ୍ର ଓ ରାଜ୍ୟର “ଡବଲ୍ ଇଞ୍ଜିନ୍” ବିଜେପି ସରକାର ଓଡ଼ିଶାର ନ୍ୟାୟସଙ୍ଗତ ଅଧିକାରକୁ ଅଣଦେଖା କରୁଛନ୍ତି ଏବଂ ଓଡ଼ଶାର ସ୍ବାର୍ଥ ବିରୋଧ ରେ କାର୍ଯ୍ୟ କରୁଛନ୍ତି ।
ଏହି ଓଡ଼ିଶା ବିରୋଧୀ ନିଷ୍ପତ୍ତି ବିରୋଧରେ ପୂର୍ବତଟ ରେଳପଥ ଜୋନ୍ ଅଫିସ ସମ୍ମୁଖରେ ଖୁବ୍ ଶୀଘ୍ର ଗଣଧାରଣା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମିଳିତ ବିରୋଧୀ ଦଳ ଘୋଷଣା କରିଛି ।
ଏହା ସହିତ ଦକ୍ଷିଣ- ପୂର୍ବ ଏବଂ ଦକ୍ଷିଣ ପୂର୍ବ- କେନ୍ଦ୍ରୀୟ ରେଳପଥ ସହିତ ଥିବା ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ରେଳ ବିଭାଗଗୁଡ଼ିକୁ ପୂର୍ବତଟ ରେଳପଥ ଜୋନ୍ରେ ଅନ୍ତର୍ଭୁକ୍ତ କରିବା ଏବଂ ଦୀର୍ଘଦିନର ଦାବି ଅନୁଯାୟୀ ରାଉରକେଲାରେ ନୂତନ ରେଳ ଡିଭିଜନ ତୁରନ୍ତ ଘୋଷଣା କରିବା ଏବଂ ପାଲାସା–ଇଚ୍ଛାପୁରମ୍ ବିଭାଗ ସ୍ଥାନାନ୍ତରଣ ପାଇଁ ଓଡ଼ିଶାକୁ ଯଥୋଚିତ କ୍ଷତିପୂରଣ ଘୋଷଣା କରିବା ପାଇଁ ଦାବି କରାଯାଇଛି ।
ଏହି ଅନ୍ୟାୟ ନିଷ୍ପତ୍ତି ବିରୋଧରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ଖୁବ୍ ଶୀଘ୍ର ବିଶାଳ ମିଳିତ ଗଣ ଧାରଣା ଆୟୋଜନ କରାଯିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସକଳ ସ୍ତରର ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ କରାଯାଇଛି ।
ହୋଟେଲ କଳିଙ୍ଗ ଅଶୋକରେ ଅନୁଷ୍ଠିତ ଏହି ମିଳିତ ବୈଠକରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ର ବରିଷ୍ଠ ନେତା ଲେନିନ ମହାନ୍ତି,ସି ପି ଆଇ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ କୁମାର ସିଂହଦେଓ, ଜୟନ୍ତ ଦାସ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, ବଦ୍ରି ନାରାୟଣ ଦାଶ, ସିପିଆଇ(ଏମଏଲ)-ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ନେତା ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏବଂ ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ କୁମାର ସାମନ୍ତରା ସମେତ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ସ୍ୱରୂପ ଦାସ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।