Latest Odisha News

ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ଲାଗି ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ମେ’ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ଯୋଗୁ ଁ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ରିଲିଫ୍ ବଣ୍ଟନ ଏବଂ ପୁନଃରୁଦ୍ଧାର କାର୍ଯ୍ୟକୁ ଆନ୍ତଃ-ମନ୍ତ୍ରୀସ୍ତରୀୟ ଟିମ୍ ଉଚ୍ଚ ପ୍ରଶଂସା କରିଛନ୍ତି ।

“ରାଜ୍ୟ ସରକାର ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳରେ ସୂଚାରୁରୁପେ ରିଲିଫ୍ ବଣ୍ଟନ ସାଙ୍ଗକୁ ପ୍ରଶଂସନୀୟ ପୁନଃରୁଦ୍ଧାର କାର୍ଯ୍ୟ କରିଛନ୍ତି, ଏପରିକି ବାତ୍ୟା ପ୍ରପୀଡ଼ିତ ପରିବାରକୁ ତୁରନ୍ତ ପଲିଥିନ ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି,” ବୋଲି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । ଶ୍ରୀ ଭରଦ୍ୱାଜ ଏହି କେନ୍ଦ୍ରୀୟ ଦଳର ନେତୃତ୍ୱ ନେଇ ଓଡ଼ିଶାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକୁ ବୁଲି ପରଖିଥିଲେ । ସେ ମଧ୍ୟ ଭୁବନେଶ୍ୱର ସଚିବାଳୟଠାରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ବୈଠକରେ ଯୋଗ ଦେଇଥିଲେ ।

ସେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଏହି ଭୟଙ୍କର ବାତ୍ୟା ଯୋଗୁଁ ପୁରୀ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାବ୍ୟତୀତ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବହୁତ ଗୃହ, ହଜାର ହଜାର ନଡ଼ିଆ ଗଛ ସମେତ ଶହ ଶହ ପାନ ବରଜ ଏହି ବାତ୍ୟା ପ୍ରକୋପରେ ନଷ୍ଟ ହୋଇଯାଇଛି ।

ରାଜଧାନୀ ଭୁବନେଶ୍ୱରଠାରେ ଶ୍ରୀ ଭରଦ୍ୱାଜ ଗଣମାଧ୍ୟମର ସାମ୍ବାଦିକମାନଙ୍କ ସମ୍ମୁଖରେ ସୂଚନାଦେଇ ମଧ୍ୟ କହିଛନ୍ତି ଯେ, ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସରବରାହ ଲାଗି ପୁନଃରୁଦ୍ଧାର କାର୍ଯ୍ୟ ଆହୁରି କିପରି ତ୍ୱରାନ୍ୱିତ ହୋଇପାରିବ ଏବଂ ତତସହିତ ମନରେଗା ଯୋଜନା ମାଧ୍ୟମରେ କିପରି ସହଯୋଗ କରାଯାଇପାରିବ ସେ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରିବେ ।

ଯଦିଓ ଶ୍ରୀ ଭରଦ୍ୱାଜ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସେ ଯେଉଁ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହାର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ଥିଲେ ମଧ୍ୟ ସେ ଆଶ୍ୱାସନା ଦେଇ କହିଛନ୍ତି, ବାତ୍ୟା ପରବର୍ତ୍ତୀ ସହଯୋଗ ଲାଗି ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ।

ଆଜି ଅପରାହ୍ନରେ ଏହି କେନ୍ଦ୍ରୀୟ ଦଳ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଏସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରୀୟ ଦଳକୁ ପ୍ରାରମ୍ଭିକ କ୍ଷୟକ୍ଷତିର ଏକ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ପ୍ରର୍ଯ୍ୟାୟ କ୍ରମେ ଚୂଡ଼ାନ୍ତ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରାଯିବ । ବାତ୍ୟା କ୍ଷତିଗ୍ରସ୍ତ ଆଉକିଛି ଜିଲ୍ଲାରୁ ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆମେ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ପର୍ଯ୍ୟାୟ କ୍ରମେ ଦିଆଯିବ ।

ଏହି ଅବସରରେ ସେଠାରେ ଉପସ୍ଥିତ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟାରେ କ୍ଷତିଗ୍ରସ୍ତ ଜିଲ୍ଲାରେ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବାତ୍ୟାରେ ଏପର୍ଯ୍ୟନ୍ତ ୧୧,୯୪୨ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବାର ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହୋଇଛି । ସମସ୍ତ ବାତ୍ୟା ବିପର୍ଯ୍ୟସ୍ତ ଜିଲ୍ଲା ଗୁଡ଼ିକରେ ଘରକୁ ଘର ସର୍ଭେ କରିବା ପରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ହୋଇପାରିବ । ଆଜିଠାରୁ ଏହି କ୍ଷୟକ୍ଷତିର ପରିମାଣ ଆକଳନ କରିବା ଲାଗି ସମସ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସର୍ଭେ ଆରମ୍ଭ ହୋଇଛି ।

ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ତଥା ରିଲିଫ ବଣ୍ଟନ କାର୍ଯ୍ୟକୁ ସମସ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର୍ ବିଷ୍ଣୁପଦ ସେଠୀ ।

Leave A Reply

Your email address will not be published.