Latest Odisha News

BREAKING NEWS

‘ବୁଲବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍, କରୁଛନ୍ତି କ୍ଷୟକ୍ଷତିର ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ।

ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ।

ଏହି ଟିମ୍ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚି ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଧାମରା ପରିଦର୍ଶନରେ ଯାଇଥିଲେ ।

ପରେ କାର୍ଯ୍ୟସୂଚନୀ ଅନୁଯାୟୀ ଏହି ଟିମ୍ ୨ ଭାଗରେ ବିଭକ୍ତ ହୋଇ ଶୁକ୍ରବାର ଦିନ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଭିମୁଖେ ଗସ୍ତ କରିଛନ୍ତି ।

ଗୋଟିଏ ଟିମ୍ କେନ୍ଦ୍ରାପଡାର ରାଜନଗର ଓ ଜଗତସିଂହପୁର ଜିଲ୍ଲାର ଏରସମା ଓ କୁଜଙ୍ଗରେ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ୟଏକ ଟିମ୍ ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ସମେତ ବାଲେଶ୍ୱରର ଭୋଗରାଇ ବ୍ଲକ୍ ପରିଦର୍ଶନ ଲାଗି ଗସ୍ତ କରିଛନ୍ତି ।

ଆହୁରି ମଧ୍ୟ ଏହି କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତିର ଆକଳନ କରିବା ପରେ ଆଜି ଅପରାହ୍ନ ବେଳକୁ ଭୁବନେଶ୍ୱର ଆସି ଲୋକସେବା ଭବନରେ ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟ କରିବେ । ସନ୍ଧ୍ୟା ବେଳକୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

ପରବର୍ତ୍ତୀ ସମୟରେ ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ବୁଲବୁଲ୍ କ୍ଷତିଗ୍ରସ୍ତ ୬ଟି ଜିଲ୍ଲା ସମ୍ପର୍କରେ ରିପୋର୍ଟ ଦାଖଲ କରିବା ନେଇ ସୂଚନା ମିଳିଛି ।

Comments are closed.