ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ ସଂଶୋଧିତ ଦର ମାର୍ଚ୍ଚ ୧୫ ତାରିଖ ସକାଳ ୬ଟାରୁ ଲାଗୁ ହେବ।
ମନ୍ତ୍ରଣାଳୟ କହିଛି ଯେ ମୂଲ୍ୟ ହ୍ରାସ ଉପଭୋକ୍ତା ଖର୍ଚ୍ଚକୁ ଉତ୍ସାହିତ କରିବ ଏବଂ ବହୁ ସଂଖ୍ୟକ ଯାନ ପାଇଁ ପରିଚାଳନା ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏଥିରେ ଡିଜେଲରେ ଚାଲୁଥିବା ୫୮ ଲକ୍ଷରୁ ଅଧିକ ଭାରୀ ମାଲବାହୀ ଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଅନ୍ତର୍ଭୁକ୍ତ।
ଦର କମିବା ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୯୬.୭୨ ଟଙ୍କାରୁ ହ୍ରାସ ପାଇ ୯୪.୭୨ ଟଙ୍କାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୮୯ ଟଙ୍କା ୬୨ ପଇସାରୁ ହ୍ରାସ ପାଇ ୮୭ ଟଙ୍କା ୬୨ ପଇସାରେ ପହଞ୍ଚିଛି।
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ ନିଷ୍ପତ୍ତି ନିଆଯାଇଛି, ଯାହା ଭୋଟରଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଦର ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟ ଦେଶ ତୁଳନାରେ ଭାରତରେ ଇନ୍ଧନ ଦର ଯଥେଷ୍ଟ କମ୍ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍ ଭଳି ଦେଶରେ ତୈଳ ଦର ଭାରତ ତୁଳନାରେ ୫୦ରୁ ୭୯ ପ୍ରତିଶତ ଅଧିକ ବୋଲି ପୁରୀ ଦର୍ଶାଇଛନ୍ତି।
Comments are closed.