Latest Odisha News

BREAKING NEWS

ଉତ୍ତର-ପୂର୍ବାଞ୍ଚଳର ‘ଲାଇଫ୍ ଲାଇନ୍’ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍, ସୀମା ସୁରକ୍ଷା ନେଇ ଗୃହମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ସିଲିଗୁଡ଼ି କରିଡର (ଯାହାକୁ ‘ଚିକେନ୍ ନେକ୍’ ମଧ୍ୟ କୁହାଯାଏ) ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନ ଏବଂ ସେଗୁଡ଼ିକର ମୁକାବିଲା ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବା ।

ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ଏହି ସଂକୀର୍ଣ୍ଣ ଭୂଖଣ୍ଡ (ସିଲିଗୁଡ଼ି କରିଡର) ଭାରତର ମୁଖ୍ୟ ଭୂଭାଗକୁ ଉତ୍ତର-ପୂର୍ବାଞ୍ଚଳର ଆଠଟି ରାଜ୍ୟ ସହ ସଂଯୋଗ କରିଥାଏ। ଭୌଗୋଳିକ ଦୃଷ୍ଟିରୁ ଏହି ଅଞ୍ଚଳଟି ନେପାଳ, ଭୁଟାନ ଏବଂ ବାଂଲାଦେଶ ସୀମାକୁ ଲାଗି ରହିଥିବାରୁ ଏହା ଅନୁପ୍ରବେଶ, ଚୋରାଚାଲାଣ ଏବଂ ଅନ୍ୟାନ୍ୟ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବେଶ୍ ସମ୍ବେଦନଶୀଳ। ବିଶେଷକରି, ଚୀନ୍ ସୀମା ପାଖାପାଖି ଥିବାରୁ ଏହି କରିଡରର ରଣନୀତିକ ଗୁରୁତ୍ୱ ଆହୁରି ବଢ଼ିଯାଏ।

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ସୀମା ସୁରକ୍ଷା ବଳ ଏବଂ ଶାସସ୍ତ୍ର ସୀମା ବଳର ବରିଷ୍ଠ ଅଧିକାରୀମାନଙ୍କ ସହ ସୀମା ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୀମାନ୍ତରେ ନିଜର ଗୁଇନ୍ଦା ନେଟୱର୍କକୁ ଅଧିକ ସକ୍ରିୟ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ବେଆଇନ ଅନୁପ୍ରବେଶ ତଥା ମାନବ ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ‘ଜିରୋ ଟଲରାନ୍ସ’ ନୀତି ଅବଲମ୍ବନ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ଉକ୍ତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟ ପୋଲିସ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଦେଶର ଅଖଣ୍ଡତା ଏବଂ ଉତ୍ତର-ପୂର୍ବାଞ୍ଚଳର ସୁରକ୍ଷିତ ଯୋଗାଯୋଗକୁ ସୁନିଶ୍ଚିତ କରିବା ପାଇଁ ସିଲିଗୁଡ଼ି କରିଡରରେ କୌଣସି ପ୍ରକାରର ସୁରକ୍ଷା ତ୍ରୁଟି ଯେପରି ନହୁଏ, ସେଥିପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେଉଥିବା ଏହି ବୈଠକରୁ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.