Latest Odisha News

BREAKING NEWS

ଓଡ଼ିଶା ସମେତ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବା ପ୍ରାୟ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଚାଲିଥିବା ବେଳେ କେନ୍ଦ୍ରର ଏନଡିଏ ସରକାର ବଜେଟ ବେଳେ ଏପରି ଏକ ଘୋଷଣା କରିପାରେ। ଜାତୀୟ ଗଣମାଧ୍ୟମରେ ଏପରି ଏକ ଖବର ପ୍ରକାଶ ପାଇଛି ।

କ୍ଷେତ୍ରଭିତ୍ତିକ ବିକାଶ ପାଇଁ ଆଗାମୀ ବଜେଟରେ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ପାଇଥିବା ଏହି ୬ଟି ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର କୁ ଏଭଳି ଅନୁଦାନ ମିଳିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ଗତ କିଛି ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି। ବିହାର ସମେତ ଅନ୍ୟ କେତେକ ରାଜ୍ୟ ମଧ୍ୟ ସମାନ ଦାବି କରିଛନ୍ତି।

ଓଡ଼ିଶାର ଖରାପ ଅର୍ଥନୈତିକ ସ୍ଥିତି ଏବଂ ଏହାର ଏକ ପ୍ରମୁଖ ଅଂଶ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ହୋଇଥିବାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି। ନୀତି ଆୟୋଗ କିଛି ଗାଇଡଲାଇନ ପ୍ରସ୍ତୁତ କରିବା ପରେ ଏବେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ସମ୍ଭବ ନୁହେଁ ।

ଏନଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଜେଡିୟୁ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବିହାରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଦାବି କରୁଛି। ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଆସିଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କିଛି ମେଗା ଉନ୍ନୟନ ମୂଳକ ପ୍ରକଳ୍ପ କୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କ ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ଦାବି କରିଥିବା ଜଣାପଡିଛି । ସେହିପରି ଓଡିଶାରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଥିବାରୁ ରାଜ୍ୟ ପ୍ରତି କେନ୍ଦ୍ରର ଆଭିମୁଖ୍ୟ ଆହୁରି ସକରାତ୍ମକ ହେବ ବୋଲି କୁହାଯାଉଛି।

ପ୍ରସ୍ତାବିତ ସ୍ୱତନ୍ତ୍ର ଅନୁଦାନ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ ବହୁ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି। ବିଜେଡି ବିଜେପି ସହ ମେଣ୍ଟ ରେ ଥିବା ବେଳେ ମଧ୍ୟ ଏହି ଦାବି କରାଯାଇଥିଲା ବୋଲି କହିବା ସହ କେନ୍ଦ୍ର ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି। ଆଗାମୀ କେନ୍ଦ୍ର ବଜେଟରେ ସ୍ୱତନ୍ତ୍ର ଅନୁଦାନ ଦେବାକୁ ପ୍ରସ୍ତାବ ସମ୍ପର୍କରେ ବିଜେଡି ନେତା କହିଛନ୍ତି ଯେ ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ହିଁ ଏହା ଜଣାପଡ଼ିବ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଆଞ୍ଚଳିକ ଦଳ ଚାପ ଜାରି ରଖିବ ବୋଲି ସେ କହିଛନ୍ତି। ଏବେ ରାଜ୍ୟର ବିଜେପି ସରକାର ମଧ୍ୟ ରାଜ୍ୟର ଦ୍ରୁତ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଦାବି କରୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରିବା ଦରକାର ବୋଲି ବିଜେଡି ନେତା କହିଛନ୍ତି।

Comments are closed.