ନୂଆଦିଲ୍ଲୀ: ୭.୫ କୋଟି ସଦସ୍ୟଙ୍କ ପାଇଁ ଇପିଏଫଓ EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ୫ ଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଗତ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର କାର୍ଯ୍ୟନିର୍ବାହୀ କମିଟିର ବୈଠକରେ ଏହି ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ସଂଶୋଧନ ଦ୍ବାରା ଏହାର କୋଟି କୋଟି ସଦସ୍ୟଙ୍କ ଜୀବନକୁ ସହଜ କରିବାରେ ସାହାଯ୍ୟ କରିବ ।
ମାର୍ଚ୍ଚ ୨୮ରେ ଶ୍ରୀନଗରରେ ଅନୁଷ୍ଠିତ ୧୧୩ତମ ବୈଠକରେ ଇପିଏଫ୍ଓର କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି କମିଶନର ରମେଶ କୃଷ୍ଣମୂର୍ତ୍ତି ଯୋଗ ଦେଇଥିଲେ। ଏବେ ଏହି ସୁପାରିସ ସିବିଟିର ଅନୁମୋଦନ ପାଇଁ ପଠାଯିବ। ଏଥିରେ ମେ’ ଶେଷ ସୁଦ୍ଧା ୟୁପିଆଇ ଆଧାରିତ ପିଏଫ ଉଠାଣ ଆରମ୍ଭ କରିବା ନେଇ ଇପିଏଫଓ ନିଷ୍ପତ୍ତି ନେଇଛି।
ମେ’୨୦୨୪ରେ ଇପିଏଫଓ ଆଡଭାନ୍ସଡ୍ କ୍ଲେମ୍ ସୀମାର ଅଟୋ ସେଟଲମେଣ୍ଟକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲା। ଇପିଏଫଓ ଶିକ୍ଷା, ବିବାହ ଏବଂ ଆବାସ ଭଳି ଆଉ ୩ଟି ବର୍ଗ ପାଇଁ ଆଗୁଆ ଦାବିର ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି। ପୂର୍ବରୁ ସଦସ୍ୟମାନେ କେବଳ ଅସୁସ୍ଥତା କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେବା ଉଦ୍ଦେଶ୍ୟରେ ନିଜର ପିଏଫ ଉଠାଇ ପାରୁଥିଲେ। ତେବେ ଏହି ଅଟୋ-ମୋଡ୍ ଦାବିକୁ ତିନି ଦିନ ମଧ୍ୟରେ ପ୍ରକ୍ରିୟାକରଣ କରାଯାଏ ଏବଂ ଏବେ ୯୫ ପ୍ରତିଶତ ଦାବି ସ୍ୱୟଂଚାଳିତ ହୋଇଛି।
ଇପିଏଫଓ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୬, ୨୦୨୫ ପର୍ଯ୍ୟନ୍ତ ୨.୧୬ କୋଟି ଟଙ୍କାର ଅଟୋ କ୍ଲେମ୍ ସେଟଲମେଣ୍ଟ ସମାଧାନର ଏକ ଐତିହାସିକ ସ୍ତର ହାସଲ କରିଛି, ଯାହା ୨୦୨୩-୨୪ ମସିହାରେ ୮୯.୫୨ ଲକ୍ଷ ଟଙ୍କା ଥିଲା।
Comments are closed.