Latest Odisha News

BREAKING NEWS

ଚୀନ ସହ ଉତ୍ତେଜନା ଯୋଗୁଁ ବଢ଼ିପାରେ ପ୍ରତିରକ୍ଷା ବଜେଟ୍ ପରିମାଣ

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଓ ଚୀନ ସୀମାରେ ଉଭୟପଟୁ ପ୍ରତିବନ୍ଧକ ସାମନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ସେନାକୁ ଆଧୁନକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ କିଣିବା ପାଇଁ କେତେକ ଯୋଜନା ଲାଗୁ କରିବାକୁ ପଡ଼ିପାରେ । ବିଶେଷଜ୍ଞଙ୍କ ଅନୁସାରେ ଚଳିତବର୍ଷ ବଜେଟରେ ପ୍ରତିରକ୍ଷାକୁ ମିଳିପାରେ ଗୁରୁତ୍ୱ, ବଢ଼ିପାରେ ପ୍ରତିରକ୍ଷା ବଜେଟ୍ ଅନୁଦାନ ।

ଆସନ୍ତା ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ କରିବେ । ଗତବର୍ଷ କେନ୍ଦ୍ର ସରକାର ଦେଶର ପ୍ରତିରକ୍ଷା ବଜେଟରେ ୬ ପ୍ରତିଶତ ବୃଦ୍ଧି କରିଥିଲେ । ଗତବର୍ଷର ମୋଟ ବଜେଟରେ ୧୫ ପ୍ରତିଶତ ପ୍ରତିରକ୍ଷା ବିଭାଗକୁ ମିଳିଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଦେଶର ସଶସ୍ତ୍ରବଳର ଆବଶ୍ୟକତାକୁ ଦେଖି ଚଳିତବର୍ଷ କେନ୍ଦ୍ର ସରକାର ଆତ୍ମନିର୍ଭର ଯୋଜନାରେ ସେନାର ଆଧୁନିକୀକରଣ ଉପରେ ଜୋର୍ ଦେଉଛନ୍ତି । ଏଥିପାଇଁ ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ିପାରେ ।

ସେନା ପାଇଁ ଆଧୁନିକୀକରଣ ଯୋଜନା

ସେନାରେ ଆଗାମୀ ୫ ବର୍ଷ ପାଇଁ ଆଧୁନିକୀକରଣ ଯୋଜନା ଲାଗୁ କରିବା ଜରୁରୀ ହୋଇ ପଡ଼ିଛି । ସରକାର ଅସ୍ତ୍ରଶସ୍ତ୍ର ଅନ୍ୟ ସରଞ୍ଜାମ ଉପରେ ସ୍ୱଦେଶୀ ସ୍ତରରେ ଗବେଷଣା, ବିକାଶ ଓ କିଣା ଉପରେ ରହିପାରେ । ଏହାବ୍ୟତୀତ୍ ଆଗାମୀ ୨ ବର୍ଷ ଲାଗି ସେନା ପାଇଁ ଅସ୍ତ୍ରଶସ୍ତ୍ର, ସରଞ୍ଜାମ କିଣାଯିବ । ଏହାଛଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ସଡ଼କ ଓ ପୋଲ ନିର୍ମାଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଉଛି ।

ଅତିରିକ୍ତ ଅନୁଦାନ ଦାବି

ଏହାଛଡ଼ା ଅତିରିକ୍ତ ଅନୁଦାନ ଯୋଗାଇ ଦେବାକୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଚୀନ ଓ ପାକିସ୍ତାନ ସହ ଉତ୍ତେଜନାକୁ ଦେଖି ସେନା ପାଇଁ କେତେକ ଆଧୁନିକ ପ୍ରକଳ୍ପକୁ ତୁରନ୍ତ ଲାଗୁ କରିବା ଜରୁରୀ ଅଟେ । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଉପରେ ଦେଶକୁ ଆତ୍ମନିର୍ଭର କରିବା ଜରୁରୀ ହୋଇପଡ଼ିଛି ।

ଗତବର୍ଷ ୪, ୭୧, ୦୦୦ କୋଟି ଟଙ୍କାର ଡିଫେନ୍ସ ବଜେଟ୍ ଥିଲା । ସେଥିରୁ ୧, ୩୩, ୮୨୫ କୋଟି ଟଙ୍କା ସୈନ୍ୟଙ୍କୁ ଭତ୍ତା ବାବଦରେ ଥିଲା ।

Comments are closed.