Latest Odisha News

BREAKING NEWS

ମନୋଜଙ୍କ ଆଗରେ କି କି ଚ୍ୟାଲେଞ୍ଜ?

ଭୁବନେଶ୍ଵର: ଓଡିଶାର ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ଆଇଏଏସ ମନୋଜ ଆହୁଜା । ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ସେ ଜୁଲାଇ ୧ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ମନୋଜଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ ।

ବ୍ୟୁରୋକ୍ରାସିର ଚେହେରା ବଦଳାଇବା

ଗତ କିଛି ବର୍ଷ ହେଲା ରାଜନୀତିର ଅନୁପ୍ରବେଶକୁ ନେଇ ବଦନାମ ହୋଇଛି ରାଜ୍ୟର ବ୍ୟୁରୋକ୍ରାସି । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ବିଶେଷ କରି କିଛି ଆଇଏଏସ ଅଧିକାରୀଙ୍କୁ ବିଜେଡି ବାବୁ ଭାବେ ବ୍ରାଣ୍ଡିଂ ବି କରାଯାଇଥିଲା । ଭିକେ ପାଣ୍ଡିଆନ ଆଇଏଏସ ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ପରେ କାର୍ଯ୍ୟପାଳିକା ଉପରେ ବିଜେଡିର ପ୍ରଭାବକୁ ନେଇ ବର୍ଷ ବର୍ଷ ଧରି ହେଉଥିବା ସମାଲୋଚନାରେ ମୋହର ବାଜିଥିଲା । ତେଣୁ ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ, ମନୋଜ ଆହୁଜାଙ୍କୁ ଏହି ବିଶ୍ୱାସ ଜନ୍ମାଇବାକୁ ପଡିବ । ନିଜ ଦକ୍ଷତା, ଜ୍ଞାନ ତଥା ଅଭିଜ୍ଞତା ବଳରେ ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ ।

ବିଜେପିର ପ୍ରତିଶ୍ରୁତି ପୂରଣ ଚ୍ୟାଲେଞ୍ଜ

ନିର୍ବାଚନ ବେଳେ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବିଜେପି । ଦୁର୍ନୀତି ବିରୋଧରେ ଅଭିଯାନକୁ ଜୋରଦାର କରିବା ହେଉ କି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଆକ୍ସନ ନେବା, ନୂଆ ଯୋଜନା କାର୍ଯ୍ୟକାରୀ କରିବା ହେଉ କି ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ, ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ବି ମନୋଜ ଆହୁଜାଙ୍କ ଉପରେ ରହିବ । କାରଣ ସାମାନ୍ୟ ଭୁଲ୍‌, ମୋହନ ସରକାର ପାଇଁ ବୁମେରାଂ ହୋଇପାରେ । ତେଣୁ ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ ।

କେନ୍ଦ୍ର- ରାଜ୍ୟ ସମନ୍ୱୟ

ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ବି ମନୋଜ ଆହୁଜାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଏଥିପାଇଁ କେବଳ ସୁସଂପର୍କ ଯଥେଷ୍ଟ ନୁହେଁ । ଭାବିଚିନ୍ତି ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପଡିବ । କାରଣ ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହିଛି । ସେଥିପାଇଁ କିଛି ପରିସ୍ଥିତିରେ କାମ କରିବା ସହଜ ହୋଇପାରେ । ତେବେ ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ । ଦିଲ୍ଲୀ ଦରବାରର ଫେଭରିଟ୍ ହିସାବରେ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶାର ଟପ୍ ଜବ ପାଇଁ ଆସିଛନ୍ତି ମନୋଜ ଆହୁଜା । ମୋହନ ସରକାର ବି ତାଙ୍କୁ ହିଁ ବାଛିଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସନ୍ତୁଷ୍ଟ କରିବାକୁ ପଡିବ ।

ବିଜେଡି ସରକାରର ନିଷ୍ପତ୍ତି, ଯୋଜନା ସମୀକ୍ଷା

ରାଜ୍ୟରେ ୨୪ବର୍ଷରୁ ଅଧିକ ସମୟ ଧରି ଶାସନ କରିଛି ବିଜେଡି । ଲମ୍ବା ସମୟ ଧରି କ୍ଷମତାରେ ରହିବା ସହ ବିଜେଡି ସରକାରର ବିଭିନ୍ନ ନିଷ୍ପତ୍ତି ତଥା ଯୋଜନାକୁ ପସନ୍ଦ ନକରିପାରେ ବିଜେପି । କାରଣ ବିଏସକେୱାଇ ହେଉ କି ମିଶନ ଶକ୍ତି କିମ୍ବା ଫାଇଭ୍‌-ଟି ଓ କାଳିଆ, ବିଜେପି ବ୍ରିଗେଡ୍ ଅନେକ ସମୟରେ ପୂର୍ବ ସରକାରର ଯୋଜନାକୁ ଟାର୍ଗେଟ୍ କରିଛନ୍ତି । ଏଭଳି ସ୍ଥିତିରେ ଏସବୁ ଯୋଜନାର ସମୀକ୍ଷା କରିବା ମନୋଜ ଆହୁଜାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

ଶାସନ ବ୍ୟବସ୍ଥାରେ ସ୍ଥିରତା

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ପରି ନୂଆ ଚେହେରାଙ୍କୁ ଆଣି ଜନତାଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସ ଭରିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର । ତେଣୁ ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜ ଆହୁଜାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜ ଆହୁଜାଙ୍କ କାନ୍ଧରେ ରହିବ ।

Leave A Reply

Your email address will not be published.