Latest Odisha News

BREAKING NEWS

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବାକୁ ପିଏମ୍‌ଙ୍କୁ ଆନ୍ଧ୍ର ସିଏମ୍‌ଙ୍କ ନିବେଦନ

ନୂଆଦିଲ୍ଲୀ: ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ନାଇଡୁ ବିଭିନ୍ନ ପ୍ରକଳ୍ପ ତଥା ରାଜଧାନୀ ଅମରାବତୀକୁ ବ୍ୟାପକ ଆର୍ଥିକ ସହାୟତା ପାଇଁ ରାଜ୍ୟକୁ ଆର୍ଥିକ ସହାୟତା ଲୋଡିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟ ସହ ଜଡିତ ପ୍ରମୁଖ ବିକାଶ ପ୍ରସଙ୍ଗରେ ଆଲୋଚନାକୁ ଭଲ ବୋଲି ବର୍ଣ୍ଣନା କରିଛନ୍ତି। ନାଇଡୁ ଟୁଇଟରରେ ଲେଖିଛନ୍ତି, ‘ମୁଁ ନିଶ୍ଚିତ ଯେ ମୋଦୀଙ୍କ ନେତୃତ୍ୱରେ ଆମ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହେବ।’ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବେଳେ ଏହାର ଅଧ୍ୟକ୍ଷ ଚନ୍ଦ୍ରବାବୁ ରାଜ୍ୟର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିବା ସହ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି।

୨ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଚନ୍ଦ୍ରବାବୁ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ସେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଚନ୍ଦ୍ରବାବୁ ଭେଟିବା କାର୍ଯ୍ୟକ୍ରମ ରହିଛି।

 

Leave A Reply

Your email address will not be published.