Latest Odisha News

BREAKING NEWS

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର

ପୁରୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର । ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଦଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ଵାର । ଗତକାଲି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଚାରିଦ୍ଵାର ଖୋଲିବା ପ୍ରସ୍ତାବ ଉପରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବା ନେଇ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ, କାଲି ରାତିରୁ ଦଳର ସମସ୍ତ ନେତା ତଥା ସାଂସଦ ପୁରୀରେ ଉପସ୍ଥିତ ରହି ଚାରିଦ୍ଵାର ଖୋଲାଯିବାର ସମସ୍ତ ଦିଗକୁ ନେଇ ସମିକ୍ଷା କରିଥିଲେ । ସକାଳୁ ସକାଳୁ ଦଳର ସମସ୍ତ ନେତା ଓ ସାଂସଦ ଶ୍ରୀମନ୍ଦିର ସମ୍ମୁଖରେ ଉପସ୍ଥିତ ଥିଲେ । ଏହାପରେ ବିଧିବଦ୍ଧ ଭାବରେ ଖୋଲାଯାଇଛି ଶ୍ରୀମନ୍ଦିରର ଚାରିଦ୍ଵାର । ସେପଟେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା । ପ୍ରଥମେ ମନ୍ଦିର ଭିତରକୁ ଯାଇ ମଙ୍ଗଳ ଆଳତୀ ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, କୋଭିଡ ପୂର୍ବରୁ ଶ୍ରୀମନ୍ଦିର ୪ଦ୍ଵାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା । କିନ୍ତୁ କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ଵାର ବନ୍ଦ ରଖିଥିଲେ ପୂର୍ବତନ ରାଜ୍ୟ ସରକାର । ୨୦୨୧ ନଭେମ୍ବର ୨୪ରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ଶ୍ରୀମନ୍ଦିରର ୩ଟି ଦ୍ଵାର । ୨୦୨୨ ଫେବୃଆରୀ ୩ରେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବାକୁ ଅନୁମତି ଦେଲେ ସରକାର । କେବଳ ଗୋଟିଏ ଦ୍ଵାର ଦେଇ ଭକ୍ତ ଯାଉଥିବାରୁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଭକ୍ତ । କିନ୍ତୁ ସବୁଠାରୁ ବେଶି କଷ୍ଟ ଭୋଗୁଥିଲେ ପୁରୀବାସୀ ଏବଂ ମଠ ମନ୍ଦିର ଅନ୍ତେବାସୀ । ଏହାପରେ ୪ଦ୍ଵାର ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟସରକାରଙ୍କୁ ଘେରିଥିଲେ ଜନତା ଓ ବିରୋଧି ନେତା । ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଅନେକ ଥର ବିଭିନ୍ନ ଯାଗାରେ ବନ୍ଦ ପାଳନ ମଧ୍ୟ କରାଯାଇଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ଚାରଦ୍ୱାର ଖୋଲିବା ନେଇ ମାନିଫେଷ୍ଟୋରେ ଘୋଷଣା କରିଥିଲା ବିଜେପି । ଏହାପରେ ନିଜର କଥା ରଖି ନିର୍ବାଚନରେ ବହୁମତ ଜିତିବା ପରେ ସରକାର ଗଢିଥିବା ବିଜେପି ସରକାର କାଲି ଏହି ଘୋଷଣା କରିବା ସହ ଆଜି ସକାଳୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଛନ୍ତି ।

Comments are closed.