Latest Odisha News

ଆଜି ତିନି ରଥର ଦକ୍ଷିଣମୋଡ଼, ୧୨.୩୦ ରେ ଆଜ୍ଞାମାଳ ବିଜେ

ପୁରୀ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶ ଦେବା ପରେ ଏବେ ଶ୍ରୀମନ୍ଦିର ଫେରିବାକୁ ତର ତର ହେଲେଣି ମହାବାହୁ। ବାହୁଡ଼ା ଯାତ୍ରା ପାଇଁ ସଜବାଜ ହେଲେଣି ବଡ଼ ଠାକୁର । ଏଥିପାଇଁ ଆଜି(ରବିବାର) ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ୩ ରଥକୁ ଭଲ ଭବାରେ ଯାଞ୍ଚ କରାଯାଇଛି।

ନନ୍ଦିଘୋଷ ରଥର ଚକରେ ୪ଟି କ୍ଲାମ୍ପ ଲାଗିଛି। ରଥ ଦକ୍ଷିଣ ମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ତିନି ରଥ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବେ । ଦକ୍ଷିଣ ମୋଡ଼ ସରିବା ପରେ ତିନି ରଥର ତଦାରଖ କରାଯିବ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହେବ। ବିଧି ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରାଯିବ।

ସେପଟେ ଶନିବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ଭାଇ ଭଉଣୀଙ୍କୁ ଧରି ମହାପ୍ରଭୁ ଏକା ମାମୁ ଘରେ ଚାଲିଗଲେ। ମହାଲକ୍ଷ୍ମୀଙ୍କୁ ନେଲେ ନାହିଁ। ଏଥିପାଇଁ ମାଆ ଅଭିମାନ କରି ରଥ ଭାଙ୍ଗିବାକୁ ଆସିଥିଲେ। ବିଧି ଅନୁଯାୟୀ ଶରଧାବାଲିରେ ବିଜେ କରିଥିଲେ ମହାଲକ୍ଷ୍ମୀ। ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମହାପ୍ରଭୂଙ୍କ ଆଜ୍ଞାମାଳ ପାଇ ହେରାଗୌରୀ ସାହି ଦେଇ ମାଆ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରି ଆସିଥିଲେ।

ଶ୍ରୀଜିଉମାନେ ଏବେ ଆଡ଼ପ ମଣ୍ଡପରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥ ବି ହୋଇଛି। ତେବେ ୨୭ ତାରିଖ ଦିନ ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ହୋଇଯିବ। ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ।

Comments are closed.