Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଏ ଉତ୍ତରରେ ବୀରା ସନ୍ତୁଷ୍ଟ ହେଲାପରି ଲାଗୁଥିଲା । ଆଶାର କିରଣଟିଏ ପରି ଥିବା ଏ କ୍ଷୀଣ ସମ୍ଭାବନାଟିକୁ, ସେ ମନଭିତରେ ପାଳି ଚାଲିଥିଲା । ସେମାନେ ଆଉ ପ୍ରାୟ ପାଞ୍ଚ ମିନିଟ୍ ଯାଏଁ ସେଠାରେ ନୀରବରେ ଠିଆ ହୋଇ ରହିଲେ । ମାତ୍ର ଲାଗୁଥାଏ ଯେମିତି ଏ ଅବସ୍ଥାର ଅନ୍ତ ନାହିଁ । ବୀରା ସମୀରାକୁ ହରାଇବାର ଦୁଃଖରେ ବୁଡ଼ି ରହିଥିଲା । ସିଡ଼୍ କିଛି କହିବାକୁ ସାହସ ଜୁଟେଇ ପାରୁନଥିଲା । ତାକୁ ଲାଗୁଥିଲା କାଳେ ଭୁଲ୍‌ରେ ତା’ ମୁହଁରୁ ଏମିତି କିଛି ଶବ୍ଦ ବାହାରିଯିବ, ଯେଉଁଥିରେ ବୀରା ଆହୁରି ବିବ୍ରତ ହୋଇପଡ଼ିବ ।

ରୋହାନ୍ ବୀରାକୁ କହିବାକୁ ଚାହୁଁଥିଲା, “ବ୍ୟସ୍ତ ହୁଅନି ବୀରା । ସବୁକିଛି ସମୟକ୍ରମେ ଠିକ୍ ହେଇଯିବ ।” ମାତ୍ର ଦୁଇଟି କାରଣରୁ କହିପାରୁ ନଥିଲା । ପ୍ରଥମତଃ ଏପରି ଏକ ଗମ୍ଭୀର ପରିସ୍ଥିତି “ଠିକ୍ ହୋଇଯିବ” ଏକ ସମ୍ବେଦନଶୀଳ ବାକ୍ୟଟିଏ ହେବ; ଦ୍ୱିତୀୟତଃ ଏହା ବ୍ୟତୀତ ଅନ୍ୟ କୌଣସି ସାନ୍ତ୍ୱନାପୂର୍ଣ୍ଣ ଶବ୍ଦ ତା’ ମସ୍ତିଷ୍କକୁ ସେ ମୁହୂର୍ତ୍ତରେ ସ୍ମରଣ ହୋଇପାରୁ ନଥିଲା ।

ଏହି ସମୟରେ “ଜେମ୍‌ସ” ନାମଧାରୀ ବ୍ୟକ୍ତି ଜଣେ ଆସି ବୀରାକୁ କହିଲେ, “ହଁ ମ୍ୟାମ୍‌, ୟା’ପରେ ଆପଣଙ୍କ ପାଳି ଲାଇଫ୍ ବୋଟ୍‌କୁ ଯିବା ପାଇଁ । ଯେତେବେଳେ ଲାଇଫ୍‌ବୋଟ୍‌କୁ ଚଢ଼ିବେ, ଦଉଡ଼ିକୁ ଟାଣକରି ଧରିଥିବେ । ବସିବା ପରେ ନିଜ ବେଲ୍‌ଟିଟିକୁ କସିକରି ବାନ୍ଧିବେ । ଯଦି ଆପଣ ନ କରିପାରିବେ, ସେଠାରେ ଉପସ୍ଥିତ ଆମ ଲୋକ ଆପଣଙ୍କୁ ସାହାଯ୍ୟ କରିବେ ।” ତା’ପରେ, ରବର୍ଟ ନାମଧାରୀ ଜଣେ କର୍ମଚାରୀଙ୍କୁ ବୀରାକୁ ଦେଖେଇ ପରବର୍ଚାୀ ଯାତ୍ରୀ ବୋଲି କହିଲେ ।

ଆଖି ମିଟିମିଟି କରି, ହଠାତ୍ ନିଦରୁ ଉଠିବା ପରି ଚାହିଁ ବୀରା ତାଙ୍କୁ “କ’ଣ କହିଲେ, ଆଉ ଥରେ କହିବେ, ଦୟାକରି” ପଚାରୁଥିଲାବେଳେ, ସେଇଠି ଅଟକେଇ ଦେଇ ତାକୁ ଆଗ ଲାଇଫ୍‌ବୋଟ୍‌ରେ ବସିଯିବା ପାଇଁ ସିଡ଼୍ ପରାମର୍ଶ ଦେଲା । ଅତି ସନ୍ତର୍ପଣରେ ସେ ଚଢ଼ିଯିବାପରେ ବୀରାକୁ ହାତ ବଢ଼େଇଲା । ବୀରା ସୁରକ୍ଷିତ ଭାବରେ ବସି ସାରିବା ପରେ ରୋହାନ୍ ଚଢ଼ିବା ଆରମ୍ଭ କଲା । ଆଉ କିଛି ଯାତ୍ରୀ ସେମିତି ସେ ଲାଇଫ୍‌ବୋଟ୍‌କୁ ଆସି ଏମାନଙ୍କ ସହ ଯାତ୍ରା ଆରମ୍ଭ କଲେ । ବୋଟ୍‌ଟି ଗଭୀର ପାଣିର ସ୍ରୋତରେ ଧୀରେ ଧୀରେ ଆଗଉଥିଲା ।

“ମୁଁ ଭାବୁଛି ମାମା ଆଉ ପାପା, ନିରାପଦରେ ଆମ ଉଦ୍ଧାରକାରୀ ଜାହାଜରେ ପହଞ୍ଚିଯାଇଥିବେ!” ଏତେ ଧୀର କଣ୍ଠରେ ବୀରା କହିଲା ଯେ ରୋହାନ୍ ଏବଂ ସିଡ଼୍ ଜମା ଶୁଣିପାରିଲେନି ଯେମିତି ।

କ୍ରମଶଃ

Leave A Reply

Your email address will not be published.