Latest Odisha News

BREAKING NEWS

ଆଜ୍ଞାମାଳ ବିଜେ ପରେ ଅନୁକୁଳ ହେଲା ରଥକାଠ, ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ହୋଇଛି । ଏହାପରେ ରଥ ନିର୍ମାଣର ବିଧି ଆରମ୍ଭ ହେବ ।

ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବାପରେ ବ୍ରାହ୍ମଣ ମାନେ କୁରାଢିରେ କାଠକୁ ଛୁଇଁବେ । ଏହାପରେ ତିନି ରଥର ମୁଖ୍ୟମହାରଣା ତାଙ୍କର ଲୌହକୁରାଢ଼ୀକୁ ରଥଖଳାରେ ରଖି ତିନି ରଥର କାଠଖଣ୍ଡ କୁ ସ୍ପର୍ଶ କରି ଭଗବାନ ବଳଭଦ୍ରଙ୍କର ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିବେ । ଏହାପରେ ସମସ୍ତ ମହାରଣା ଓ ଭୋଇ ସର୍ଦ୍ଦାର, ରୂପକାର, ଚିତ୍ରକାର, ମୁଖ୍ୟ ସେବାୟତଙ୍କୁ ଶାଢି ବନ୍ଧାଯିବ । ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ନିର୍ମାଣ ବିଧି ।

ଏଥିସହ ଚନ୍ଦନଯାତ୍ରା ଆଜିଠୁ ଆରମ୍ଭ ହୋଇଛି । ଭକ୍ତଙ୍କ ଗହଣରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ । ଆଜିଠୁ ୨୧ ଦିନ ଧରି ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.