Latest Odisha News

BREAKING NEWS

ଜେଲରୁ ବାହାରିଲେ କେଜ୍ରିୱାଲ, କହିଲେ କାଲି ହନୁମାନ ମନ୍ଦିରରେ ହେବ ଦେଖା

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ବାହାରିବା ବେଳେ ତାଙ୍କର ସ୍ୱାଗତ ପାଇଁ ଜେଲ ବାହାରେ ପହଁଚିଥିଲେ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ସହ ଅନ୍ୟାନ୍ୟ ଆପ ବିଧାୟକ, ସାଂସଦ ଓ ସମର୍ଥକମାନେ ।

ଜେଲରୁ ବାହାରିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟର ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସିଧାସଳଖ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ଦେଶବାସୀମାନେ ଏକାଠି ହୋଇ ଦେଶରୁ ଏକଛତ୍ରବାଦ ଶାସକଙ୍କୁ ହଟାଇବାର ସମୟ ଆସିଛି । ସେଥିପାଇଁ ୧୪୦ କୋଟି ଲୋକଙ୍କୁ ଲଢିବାକୁ ହେବ । ଜେଲରେ ଥିବା ବେଳେ ଦେଶର କୋଟି କୋଟି ଜନତା ମୋ ପାଇଁ ସେମାନଙ୍କ ଆଶୀର୍ବାଦ ପଠେଇଛନ୍ତି । ଆଜି ଆପଣମାନଙ୍କ ଗହଣରେ ଥିବାରୁ ବହୁତ ଭଲ ଲାଗୁଛି । ଆସନ୍ତାକାଲି ଦିନ ୧୧ ଟାରେ କନାଁଟ ହନୁମାନ ମନ୍ଦିରରେ ସମସ୍ତଙ୍କ ସହ ଦେଖାହେବ ବୋଲି କହିଛନ୍ତି କେଜ୍ରିୱାଲ । ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହନୁମାନ ମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ଦିନ ୧ଟାରେ ପାର୍ଟୀ ଅଫିସରେ ସାମ୍ବାଦିକ ସମ୍ମିଳନୀ କରିବେ । ସେଥିପାଇଁ ସମସ୍ତଙ୍କୁ ହନୁମାନ ମନ୍ଦିରକୁ ଆସିବାକୁ ଅନୁରୋଧ କରିଛନ୍ତି କେଜ୍ରିୱାଲ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୧ ତାରିଖରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଇଡି ହେପାଜତରେ ଥିବା କେଜ୍ରିୱାଲଙ୍କ ତରଫରୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ତାଙ୍କୁ ଜାମିନ ମିଳିବା ଉଚିତ ବୋଲି କୁହାଯାଇଥିଲା । ତେବେ ତଦନ୍ତକାରୀ ସଂସ୍ଥା ଏହାକୁ ବିରୋଧ କରି କହିଥିଲୋଯେ, ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ । ଯଦି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ । ଏହା ସତ୍ତ୍ବେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଇଡି ର ଯୁକ୍ତି ଶୁଣିବା ପରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛି । ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କେଜ୍ରିଓ୍ବାଲ୍ ଜୁନ୍ ୨ ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ ।

Leave A Reply

Your email address will not be published.