Latest Odisha News

BREAKING NEWS

ଛତୁଆ ଠକେଇ , ପୁଷ୍ଟିକର ଖାଦ୍ୟ ନାଁରେ ଦିଆଯାଉଛି ଅପମିଶ୍ରିତ ଛତୁଆ

ନୂଆପଡା: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲାର ସିନାପାଲି ବ୍ଲକରୁ ଆସିଛି ଏପରି ଅଭିଯୋଗ । ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ପ୍ରଦାନ କରୁଛନ୍ତି । କିନ୍ତୁ ଖାଦ୍ୟର ମାନ ଅତି ନିମ୍ନମାନର ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସଧାରଣ ହିତାଧିକାରୀ ପୁଷ୍ଟିକର ଖାଦ୍ୟ ପାଇବା ବଦଳରେ ଅସ୍ୱାସ୍ଥ୍ୟକର ଓ ଅପପୁଷ୍ଟିକର ଖାଦ୍ୟ ଗ୍ରହଣ କରି ଅପପୁଷ୍ଟିର ଶିକାର ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ବଣ୍ଟନ ସଂସ୍ଥା ଦୁର୍ନୀତି କରି ମାଲେମାଲ ହେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିନରେ ୨୫୭ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ୧୦ଟି ମିନି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେହିପରି ସେହି ଅଞ୍ଚଳରେ ଗର୍ଭବତୀ ସଂଖ୍ୟା ୧୨୩୨ ଥିବା ବେଳେ ପ୍ରସୂତୀ ସଂଖ୍ୟା ୬୭୨। ସେମାନଙ୍କ ମଧ୍ୟରୁ ୬୫୦ ଜଣ ମହିଳା ଓ ୧୧୬୮ ଜଣ ଶିଶୁଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି । ମାଣ୍ଡିଆରୁଚା ଗ୍ରାମର ମାଁ ତାରିଣୀ ଏସଏଚଜି ଓ ନିଲଜି ଗ୍ରାମର ମାଁ ମଙ୍ଗଳା ଏସଏଚଜି ଏମାନଙ୍କୁ ଛତୁଆ ନିର୍ମାଣ ଓ ବଣ୍ଟନର ଦାୟିତ୍ଵ ନେଇଛନ୍ତି । କିନ୍ତୁ ବଣ୍ଟନ କରାଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଶେଷକରି ମାଣ୍ଡିଆରୁଚା ଗାଁର ଛତୁଆ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ଛତୁଆ ନିର୍ମାଣ କାରୀ ସଂସ୍ଥା ଛତୁଆ ନିର୍ମାଣରେ ଆବଶ୍ୟକୀୟ କଞ୍ଚାମାଲ ବ୍ୟବହାର କରୁନଥିବା ବେଳେ ପୁରୁଣା ଛତୁଆକୁ ନୂଆଁ ପ୍ୟାକେଟ ମାଧ୍ୟମରେ ପୁଣିଥରେ ବଣ୍ଟନ ହେଉଥିବା ଲୋକେ କହିଛନ୍ତି । ତା’ଛଡା ଛତୁଆ ଗୁଣ୍ଡରେ ବିଭିନ୍ନ ପ୍ରକାର କିଟପତଙ୍ଗ ବାହାରୁଥିବା ବେଳେ ବାଲିଗୋଡି ଭଲି ସାମଗ୍ରୀ ମିଶାଇ ମାଁ ଓ ଶିଶୁ ମାନଙ୍କୁ ବିପଦ ମୁହଁକୁ ଠେଲୁ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏବାବଦରେ ସିନାପାଲି ସିଡିପିଓଙ୍କ ଠାରୁ ନେଇ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରଣୀଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି । ଅପରପକ୍ଷରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଅଧିକାରୀ ଓ ବଣ୍ଟନ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ପୁଷ୍ଟିକର ଛତୁଆ ବଣ୍ଟନ କରାଯାଉ ନହେଲେ ଆଗାମୀ ଦିନରେ ହିତାଧିକାରୀଙ୍କ ସହ ଦଳିତ ଅଧିକାର ମଞ୍ଚ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.