Latest Odisha News

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬
‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ ସୀମିତ ରହୁଥିଲା । ‘ସିନେ ଓଡ଼ିଶା’ ଓ ‘କଳାଶ୍ରୀ’ ପରି ସଂପୂର୍ଣ୍ଣ ଚଳଚ୍ଚିତ୍ର ଭିତ୍ତିକ ପତ୍ରିକା ଏହା ନଥିଲା । ପ୍ରଚ୍ଛଦରେ ହିନ୍ଦୀ ଚଳଚ୍ଚିତ୍ର ନାୟିକାଙ୍କ ଚତୁଃରଙ୍ଗୀ ଛବି ରହୁଥିଲା ଏବଂ ଏହା ଥିଲା ଅନ୍ୟତମ ଆକର୍ଷଣ ।
ପୂର୍ବରୁ ଲେଖିଥିଲି ଯେ ଅନ୍ନପୂର୍ଣ୍ଣା ଥିଏଟର୍ସରୁ କେତେକ ନାଟ୍ୟକର୍ମୀ  ବାହାରି ଆସିଥିଲେ ଆଉ ଭ୍ରମ୍ୟମାଣ ଥିଏଟର୍ ‘ରୂପଶ୍ରୀ ଥିଏଟର୍ସ’ରେ ଯୋଗ ଦେଇଥିଲେ । ‘ରୂପଶ୍ରୀ ଥିଏଟର୍ସ’ ଭାଙ୍ଗିଯାଇ ଏହାର ମୂଳ ସଂସ୍ଥା ‘ରୂପଭାରତୀ’ ଏକରକମ ସ୍ଥାଣୁ ହୋଇଗଲାପରେ ସେହି ନାଟ୍ୟକର୍ମୀମାନଙ୍କ ସହଯୋଗରେ ଗଢ଼ାଯାଇଥିଲା ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ । ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ର ଅନ୍ୟତମ ଉଦ୍ଦେଶ୍ୟ ଥିଲା ଚଳଚ୍ଚିତ୍ର ନିର୍ମାଣ ।

ତେବେ ଯଥେଷ୍ଟ ଅଂଶଧନ ସଂଗ୍ରହ ହୋଇ ନପାରିବାରୁ  ନିର୍ମାଣ ହୋଇପାରୁ ନଥିଲା । ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ର ଅନ୍ୟତମ ଉଦ୍ୟୋକ୍ତାମାନେ ଥିଲେ ନାଟ୍ୟକାର ଲକ୍ଷ୍ମୀଧର ନାୟକ, ଔପନ୍ୟାସିକ ବଂଶୀଧର ଭୂୟାଁ ଓ ନାଟ୍ୟକର୍ମୀ କୁଞ୍ଜବିହାରୀ ରାଉତରାୟ । ତେବେ ‘ରୂପଶ୍ରୀ ଥିଏଟର୍ସ’ରେ ଯାହାଯାହା ହେଉଥିଲା, ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ରେ ମଧ୍ୟ ସେୟା ସେୟା ହେଲା । ‘ରୂପଭାରତୀ’କୁ ଆସୁଥିବା ଅର୍ଥର ସ୍ରୋତ ବନ୍ଦ ହୋଇଯିବାରୁୁ ‘ରୂପଶ୍ରୀ’ରେ ବିଭ୍ରାଟ ଦେଖାଦେଇଥିଲା । ଥିଏଟର୍ସ ଉପାର୍ଜିତ ଅର୍ଥ ନିଅଣ୍ଟ ହେଲା । ରାତାରାତି କଳାକାର ‘ରୂପଶ୍ରୀ’ ଛାଡ଼ି ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’କୁ ଅସିଥିଲେ । ନିଜେ ପରିଚାଳକ ଲକ୍ଷ୍ମୀଧର ନାୟକ ମଧ୍ୟ  ‘ରୂପଶ୍ରୀ’ ଛାଡ଼ି ଆସିଥିଲେ । ସେହିପରି ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ର ଯୋଜନା ଅଧିକ ଥିଲା, କାର୍ଯ୍ୟକାରୀ କମ୍ ହେଲା । ଥିଏଟର୍ସ ଏକରକମ ଚାଲିଥିଲା, ଚଳଚ୍ଚିତ୍ର ପତ୍ରିକା ମଧ୍ୟ ଲୋକାଦୃତ ହୋଇ ଆସୁଥିଲା । କିନ୍ତୁ ଚଳଚ୍ଚିତ୍ର ନିର୍ମାଣ ସ୍ୱପ୍ନ ସାକାର ହୋଇପାରୁନଥିଲା । ଅଂଶଧନ ଅଧିକ ସଂଗ୍ରହ ହେଉ ନଥିବାରୁ ଥିଏଟର୍ସ ଉପାର୍ଜିତ ଅର୍ଥରେ ଚଳଚ୍ଚିତ୍ର ନିର୍ମାଣ ଯୋଜନା କରାଗଲା ଏବଂ ଏହା ଥିଲା ‘ଭାରତୀ ନାଟ୍ୟମନ୍ଦିର ଲିମିଟେଡ୍‌’ ଭାଙ୍ଗିିଯିବାର ମୁଖ୍ୟ କାରଣ । ମାତ୍ର ଛଅ ମାସରେ ଦଳ ଭାଙ୍ଗିଗଲା, ଦଳ ଭାଙ୍ଗିବା ସହ ଏହାର ସହଯୋଗୀ ପ୍ରକାଶନ ‘ଚିତ୍ରଲେଖା’ ମଧ୍ୟ ବନ୍ଦ ହୋଇଗଲା ।

‘ଚିତ୍ରଲେଖା’ ସ୍ୱଳ୍ପାୟୁ ଥିଲା କିନ୍ତୁ ଥିଲା ପ୍ରଭାବୀ । ମାତ୍ର ଛଅଟି ସଂଖ୍ୟାର ପ୍ରକାଶନରେ ଏହାର ପ୍ରସାରଣ ସଂଖ୍ୟା ଥିଲା ହଜାରେରୁ ଅଧିକ । ଲୋକପ୍ରିୟତା ବୃଦ୍ଧି ପାଇଁ ନାଟ୍ୟକାର ଲକ୍ଷ୍ମୀଧର ନାୟକଙ୍କ କେତେକ ଚମତ୍କାର ପରିକଳ୍ପନାର ପ୍ରୟୋଗ କରିଥିଲେ ଓ ତାହା ଥିଲା ଓଡ଼ିଆ ପତ୍ରିକା ପାଇଁ ଅଭିନବ । ଫଟୋଗ୍ରାଫି ପାଇଁ ଏକ ସ୍ୱତନ୍ତ୍ର ପୃଷ୍ଠା ରହୁଥିଲା । ବିଭିନ୍ନ ‘ଥିମ୍‌’ ଆଧାରିତ ସୌଖୀନ ଫଟୋଗ୍ରାଫି ପ୍ରତିଯୋଗିତାର ଆୟୋଜନ ପ୍ରତିମାସ କରାଯାଉଥିଲା । ପ୍ରଥମ ଓ ଦ୍ୱିିତୀୟ ବିବେଚିତ ଫଟୋଗ୍ରାଫ୍ ପୁରସ୍କୃତ ହେଉଥିଲେ । ଏଥିପାଇଁ  ପ୍ରତି ମାସ ୩୦ ତାରିଖ ସୁଦ୍ଧା ଥିମ୍ ଆଧାରିତ ଚିତ୍ର ସହ ପାଞ୍ଚ ଅଣାର ପ୍ରବେଶିକା ଦେୟ ଦେବାକୁ ହେଉଥିଲା । ଏହି ପ୍ରତିଯୋଗିତାର ବିଚାରକ ଥିଲେ ସେହି ସମୟର ପ୍ରଖ୍ୟାତ ଫଟୋଗ୍ରାଫର୍ ପି. ବି. ବ୍ରହ୍ମା ।

‘ଚିତ୍ରଲେଖା’ର ବିଭିନ୍ନ ବିଭାଗ ପାଇଁ ଦାୟିତ୍ୱ ନେଇଥିଲେ ଭିନ୍ନ ଭିନ୍ନ ସହଯୋଗୀ । ଖେଳ ଖବର ପରିଚାଳନା କରୁଥିଲେ ଜଗନ୍ନାଥ ମିଶ୍ର, ‘କାହିଁକି ସିନେମା ଦେଖେ’ ଲେଖୁଥିଲେ ବଂଶୀଧର ଭୂୟାଁ,  ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରର ‘ଷ୍ଟୁଡିଓ ସମ୍ବାଦ’ ଲେଖୁଥିଲେ ବନବିହାରୀ ନାୟକ । ଏହା ସହ କୁମାର ଶ୍ୟାମ ଦାସ ଲେଖୁଥିବା ବିଭିନ୍ନ ହିନ୍ଦୀ ଓ ବଙ୍ଗଳା ଚିତ୍ର ତାରକାଙ୍କ ଜୀବନ କଥା ମଧ୍ୟ ‘ଚିତ୍ରଲେଖା’ରେ ସ୍ଥାନିତ ହେଉଥିଲା । ଓଡ଼ିଆ ଚଳଚ୍ଚିତ୍ର ତାରକା ଗୋପାଳ ଘୋଷ, ଗ୍ଲୋରିଆ ରାଉତ ପ୍ରମୁଖଙ୍କ ବ୍ୟକ୍ତଗତ ଅନୁଭବ ମଧ୍ୟ ପ୍ରକାଶିତ ହେଉଥିଲା । ‘ଜବାବ ସୁଆଲ’ ନାମରେ ପାଠକଙ୍କ ପ୍ରଶ୍ନର ଉତ୍ତର ରହୁଥିଲା, ଯାହାକୁ ପରିଚାଳନା କରୁଥିଲେ  ଗୁପ୍ତମାରୁ । ଲେଖା ଶୈଳୀରୁ ଅନୁମିତ ହୁଏ ଲକ୍ଷ୍ମୀଧର ନାୟକଙ୍କ ଛଦ୍ମନାମ ଥିଲା ‘ଗୁପ୍ତମାରୁ’ । ଏହି ପ୍ରଶ୍ନ ଉତ୍ତର ସ୍ତମ୍ଭରେ ସିନେମା ସମ୍ବନ୍ଧିତ ପ୍ରଶ୍ନ ରହୁଥିଲା କମ୍‌, କୌତୁକ ଓ ପ୍ରେମ ସମ୍ବନ୍ଧୀୟ ପ୍ରଶ୍ନର  ଉତ୍ତର ରହୁଥିଲା ଅଧିକ । ତେବେ ଏହି ଧାରାର ପ୍ରଚଳନ କରିଥିଲା ପୂର୍ବ ଦୁଇ ପତ୍ରିକା ‘ସିନେ ଓଡ଼ିଶା’ ଓ ‘କଳାଶ୍ରୀ’ ।

ମନନଶୀଳ ସାହିତ୍ୟ ମଧ୍ୟ ‘ଚିତ୍ରଲେଖା’ରେ ପ୍ରକାଶିତ ହେଉଥିଲା । କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଧାରାବାହିକ ରଚନା ‘ପ୍ରଗତି ଓ ପ୍ରତିକ୍ରିୟାଶୀଳ ସାହିତ୍ୟ’ ସମେତ ସେହି ସମୟର ପ୍ରତିଷ୍ଠିତ ଲେଖକଙ୍କ ଗଳ୍ପ, କବିତା, ପ୍ରବନ୍ଧ ଓ ଗ୍ରନ୍ଥ ସମାଲୋଚନା ମଧ୍ୟ ସ୍ଥାନିିତ ହେଉଥିଲା । ମାତ୍ର ଛଅଟି ସଂଖ୍ୟାର ପ୍ରକାଶନ ମଧ୍ୟରେ ‘ଚିତ୍ରଲେଖା’  ନାଟକ ସମାଲୋଚନା କ୍ଷେତ୍ରରେ ବିତର୍କ ମଧ୍ୟ ସୃଷ୍ଟି କରିଥିଲା ।

ସ୍ପଳ୍ପାୟୁ ଥିଲେ ବି ପ୍ରଭାବୀ ଥିଲା ‘ଚିତ୍ରଲେଖା’ । ପରବର୍ତ୍ତୀ ସମୟର ଚଳଚ୍ଚିତ୍ର ପତ୍ରିକା ପାଇଁ ଉଦାହରଣ ହୋଇଥିଲା । ଏଠାରେ ସଂପୃକ୍ତ ହୋଇଛି ‘ଚିତ୍ରଲେଖା’ ପ୍ରଥମ ସଂଖ୍ୟାର ପ୍ରଚ୍ଛଦ ଛବି ଓ ଅଘୋଷିତ ସମ୍ପାଦକ ଲକ୍ଷ୍ମୀଧର ନାୟକଙ୍କ ଦସ୍ତଖତ ଥିବା ଛବି ।

କ୍ରମଶଃ..

Comments are closed.