ଭାଗ-୭
ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ ବିଖ୍ୟାତ ଓ ଲୋକପ୍ରିୟ ‘ଆନନ୍ଦ ବଜାର ପ୍ରକାଶନ ସଂସ୍ଥା’ର ଏକକ ବିତରଣ ପାଇଁ ସେତେବେଳେ ଚର୍ଚ୍ଚାରେ ଥିଲେ ଜଣେ ଓଡ଼ିଆ: ପାତିରାମ ପରିଜା । ସେ କଲିକତାରେ ପ୍ରକାଶନ ଓ ସମ୍ବାଦପତ୍ର ବିତରଣ ସହ ସଂପୃକ୍ତ ଥିଲେ ଓ ‘କୋଣାର୍କ ଛାପାକଳ’ ପ୍ରତିଷ୍ଠା କରିଥିଲେ । ତାଙ୍କ ଉଦ୍ୟମରେ ୧୯୫୦ ମସିହାରୁ କଲିକତାରୁ ସାହିତ୍ୟ ପତ୍ରିକା ‘ଆସନ୍ତାକାଲି’ ପ୍ରକାଶନ ଆରମ୍ଭ ହେଲା । ‘ଆସନ୍ତାକାଲି’ ପତ୍ରିକା ପ୍ରକାଶନରେ ପାତିରାମ ପରିଜାଙ୍କ ସହଯୋଗୀ ଥିଲେ ସାହିତ୍ୟିକ କଣ୍ଡୁରି ଚରଣ ଦାସ, ହୃଦାନନ୍ଦ ମଲ୍ଲିକ ଓ ସେତେବେଳେ ଆଇନ ଛାତ୍ର ଥିବା ଯଦୁନାଥ ଦାସ ମହାପାତ୍ର ।
‘ଆସନ୍ତାକାଲି’ର ନାମକରଣ କରିଥିଲେ ଡ. କୁଞ୍ଜବିହାରୀ ଦାସ । ପ୍ରଥମ ସଂଖ୍ୟାରୁ ହିଁ ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ‘ଆସନ୍ତାକାଲି’ରେ ପ୍ରକାଶିତ ହେଉଥିଲା । ସ୍ତମ୍ଭର ନାମ ଥିଲା ‘ରଙ୍ଗ ଜଗତରେ’ । ଯେଣୁ ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା ନଗଣ୍ୟ ଥିଲା ଏଣୁ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ର ଲେଖା ଏହି ସ୍ତମ୍ଭରେ ଅଧିକ ସ୍ଥାନିତ ହେଉଥିଲା । ସ୍ତମ୍ଭର ଲୋକପ୍ରିୟତା ହେତୁ ‘ଆସନ୍ତାକାଲି’ ପ୍ରକାଶନର ପାଞ୍ଚ ବର୍ଷ ପରେ ପାତିରାମ ପରିଜା ସ୍ଥିର କଲେ ସେ ଆଉ ଦୁଇଟି ପତ୍ରିକା ପ୍ରକାଶନ କରିବେ । ପ୍ରଥମ ହେଉଛି କଲିକତାରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଓ ସ୍ଥିତି ସଂପର୍କିତ ପତ୍ରିକା ‘ଶ୍ରମିକ’ ଓ ଦ୍ୱିତୀୟ ହେଉଛି ଚଳଚ୍ଚିତ୍ର ପତ୍ରିକା ‘ଦି ସିନେମା’ । ଯେହେତୁ ‘ଆସନ୍ତାକାଲି’ର ‘ରଙ୍ଗ ଜଗତରେ’ ସ୍ତମ୍ଭର ପରିକଳ୍ପନା ଓ ଦାୟିତ୍ୱରେ ଥିଲେ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ତାଙ୍କୁ ଉଭୟ ପତ୍ରିକାର ସମ୍ପାଦକ ଦାୟିତ୍ୱ ଦିଆଗଲା । ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ମୂଳ ଘର ତିର୍ତ୍ତୋଲ, ଜଗତସିଂହପୁର । ସେ ପାତିରାମ ପରିଜାଙ୍କ ନିକଟ ସଂପର୍କୀୟ । ମାତ୍ର ୧୭ ବର୍ଷ ବୟସରୁ ସେ କଲିକତାରେ ପ୍ରକାଶନ ଓ ପ୍ରସାରଣ ଶିଳ୍ପ ସହ ସଂପୃକ୍ତ ହୋଇଥିଲେ । ‘ଆସନ୍ତାକାଲି’ର ପରିଚାଳନା ସମ୍ପାଦକ ଥିଲେ । ତାଙ୍କ ସଂପାଦନାରେ ୧୯୫୫ ମସିହା ନଭେମ୍ବର ମାସରୁ ପ୍ରକାଶିତ ହେଲା ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେମା’ । ସେହି ‘ଆସନ୍ତାକାଲି’ କାର୍ଯ୍ୟାଳୟରୁ, ୨/୨ ଏ, ପ୍ରେମଚାନ୍ଦ ବରାଳ ଷ୍ଟ୍ରିଟ୍, କଲିକତା-୧୨ ଠିକଣାରୁ । ପ୍ରଥମ ଚାରିଟି ସଂଖ୍ୟା ସଂପୂର୍ଣ୍ଣ ଚଳଚ୍ଚିତ୍ର ଭିତ୍ତିକ ହେବା ପରେ ପଞ୍ଚମ ସଂଖ୍ୟାରୁ ଏଥିରେ ଗଳ୍ପ କବିତା ବି ସଂଯୁକ୍ତ ହେଲା, ଏକାଙ୍କିକା ବି ପ୍ରକାଶିତ ହେଲା । କିନ୍ତୁ ସିଂହଭାଗ ଥିଲା ଚଳଚ୍ଚିତ୍ର ଲେଖା । ୨୧x୧୩ ସେ.ମି. ଆକାର ଓ ଦେଢ଼ଶହ ପୃଷ୍ଠା କଳେବର ଥିବା ‘ସିନେମା’ରେ ଷୋହଳ ପୂରା ପୃଷ୍ଠାର ଦ୍ୱିରଙ୍ଗୀ ଛବି ରହୁଥିଲା, ଏହା ଅବଶ୍ୟ ଭିନ୍ନ କଥା ଯେ ବଙ୍ଗଳା ନାୟକ ନାୟିକାଙ୍କ ଛବି ସଂଖ୍ୟା ଅଧିକ ଥିଲା, ହିନ୍ଦୀ ନାୟକ ନାୟିକାଙ୍କ ଛବି ସଂଖ୍ୟା କମ ଥିଲା ଆଉ ଓଡ଼ିଆ ନାୟକ ନାୟିକାଙ୍କ ଛବି ଆଦୌ ନଥିଲା । ‘ସିନେମା’ ପତ୍ରିିକାର ଅନ୍ୟତମ ଆକର୍ଷଣ ଥିଲା ଏହି ଛବି ତକ ଆଉ ଛବି ତଳେ ଲେଖାଥିବା କାବ୍ୟିକ ଛଟା । ଉଦାହରଣ ସ୍ୱରୂପ: ‘ଅଭିମାନୀ ଚାଲେ ଢଳି ଢଳି’ ବା ‘ନୂଆ ନୂଆ କେତେ ସପନର ଢେଉ ପରାଣେ ଜାଗେ’ ବା ‘ଚନ୍ଦ୍ରିକା ସମ ସୁଧା ଦିଏ ତୁମ ଚାହାଁଣି’ । ନାୟକ ନାୟିକାଙ୍କ ଛବି ବା ଚଳଚ୍ଚିତ୍ରର ଦୃଶ୍ୟଛବିରେ ଏହାପରି କାବ୍ୟିକ କ୍ୟାପସନ୍ ଲେଖୁଥିଲେ ନିଜେ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ।
‘ଛାୟା ଓ ମଞ୍ଚ’ ଥିଲା ‘ସିନେମା’ ପତ୍ରିକାର ଆଉ ଏକ ବିଭବ । ଏହି ସ୍ତମ୍ଭରେ ରଙ୍ଗମଞ୍ଚ ଓ ଚଳଚ୍ଚିତ୍ରର ସମୀକ୍ଷା ପ୍ରକାଶିତ ହେଉଥିଲା । ‘ବଣମଲ୍ଲୀ’ ସ୍ତମ୍ଭରେ ପ୍ରକାଶିତ ହେଉଥିଲା ସାହିତ୍ୟ ଏବଂ ନାଟକ ଓ ଚଳଚ୍ଚିତ୍ର କ୍ଷେତ୍ରର ନବପ୍ରତିଭାଙ୍କ ସାଧନା ଓ ସଂଗ୍ରାମର କାହାଣୀ, ଏହା ବ୍ୟତୀତ ଥିଲା ‘ଶିଳ୍ପୀ ପରିଚୟ’, ପାଠକଙ୍କ ପ୍ରଶ୍ନ ଉତ୍ତର ‘ଆପଣଙ୍କ ଜବାବ’ ଓ ଚଳଚ୍ଚିତ୍ର ଜଗତର ହାଲ୍ଚାଲ୍ ‘ଶୁଣିବାକୁ ମିଳେ’ । ଏହି ନିୟମିତ ସ୍ତମ୍ଭ ସହ ଚଳଚ୍ଚିତ୍ର ସମ୍ବନ୍ଧିତ କେତେକ ଗମ୍ଭୀର ରଚନା ମଧ୍ୟ ‘ସିନେମା’ ପତ୍ରିକାରେ ସଂଯୁକ୍ତ ଥିଲା । ଭିନ୍ନ ଭିନ୍ନ ସମୟରେ ବ୍ରଜରାଥ ରଥ, ମହାପାତ୍ର ନୀଳମଣି ସାହୁ, ଯୋଗେନ୍ଦ୍ର ପଟ୍ଟନାୟକ, ଯୁଗଳ କିଶୋର ଦତ୍ତ, ମହେଶ୍ୱର ମୂଳିଆଙ୍କ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା ମଧ୍ୟ ଏଥିରେ ପ୍ରକାଶିତ ହୋଇଛି । ସେହି ସମୟର ତରୁଣ ଲେଖକ ବିଭୂତି ପଟ୍ଟନାୟକ, ଅବନୀ ବରାଳ, ଯଦୁନାଥ ଦାସ ମହାପାତ୍ର, ଜଗନ୍ନାଥ ପ୍ରସାଦ ଦାସ, ଜେନାମଣି ନରେନ୍ଦ୍ର କୁମାରଙ୍କ ଗଳ୍ପ, ଏକାଙ୍କିକା ଓ କବିତା ମଧ୍ୟ ‘ସିନେମା’ରେ ସ୍ଥାନିତ ହୋଇଛି ।
‘ସିନେମା’ ପତ୍ରିକା ଚାଲିଥିଲା ମାତ୍ର ଦୁଇ ବର୍ଷ । ୧୯୫୫ରେ ‘କୋଣାର୍କ ଛାପାକଳ’ର ମାଲିକାନା ପରିବର୍ତ୍ତନ ହେଲା, ପାତିରାମ ପରିଜାଙ୍କ ଭାଇ ଯଦୁମଣି ପରିଜା ଏହାର ଦାୟିତ୍ୱ ନେଲେ । ଶ୍ୟାମ ସୁନ୍ଦର ମହାପାତ୍ର ହେଲେ ପରିଚାଳକ । ଏହି ପରିବର୍ତ୍ତନ ବେଳେ ଉଭୟ ‘ସିନେମା’ ଓ ‘ଶ୍ରିମକ’ ପତ୍ରିକାର ମୃତ୍ୟୁ ହେଲା । କୌଣସି ମତେ ବର୍ତ୍ତଗଲା କେବଳ ‘ଆସନ୍ତାକାଲି’ ।
ସ୍ୱଳ୍ପ ପ୍ରକାଶନ ଅବଧିରେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା କ୍ଷେତ୍ରକୁ ‘ସିନେମା’ ପତ୍ରିକାର ଅବଦାନ ଯଥେଷ୍ଟ । ବିଶେଷ କରି ଷୋହଳ ପୃଷ୍ଠାର ପୂରା ଛବି ଓ ତାହା ତଳ ଲେଖା ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ରୂପ ଓ ଭାଷାକୁ ବଦଳାଇଦେଲା । ସାହିତ୍ୟ ଓ ଚଳଚ୍ଚିତ୍ରର ସଂଯୋଗୀକରଣରେ ବି ଏହାର ଭୂମିକା କିଛି କମ୍ ନୁହେଁ । ତେବେ ସ୍ୱାଭାବିକ ଭାବରେ ପ୍ରଶ୍ନ ଆସେ ସେହି ସମୟରେ କାହିଁକି ଚଳଚ୍ଚିତ୍ର ପତ୍ରିକାରେ ସାହିତ୍ୟକୁ ଅନ୍ତର୍ଭୁକ୍ତ କରାଯାଉଥିଲା, କାହିଁକି ନବୀନ ଗଳ୍ପ/ କବିତା ଲେଖକଙ୍କ ପ୍ଲାଟଫର୍ମ ଥିଲା ଚଳଚ୍ଚିତ୍ର ପତ୍ରିକା? ସମ୍ଭବତଃ ଏହି ପ୍ରଶ୍ନର ଉତ୍ତର ଆସନ୍ତା ସ୍ତମ୍ଭରେ ମିଳିଯାଇପାରେ । ଏଥର ଏହି ସ୍ତମ୍ଭ ସହ ସ୍ଥାନିତ ହୋଇଛି ‘ସିନେମା’ ପତ୍ରିକାର ପ୍ରଚ୍ଛଦର ଛବି ଓ ‘ସିନେମା ପତ୍ରିକା ପ୍ରକାଶନ ପୂର୍ବରୁ ‘ଆସନ୍ତାକାଲି’ରେ କ୍ରମାଗତ ପ୍ରକାଶିତ ହେଉଥିବା ବିଜ୍ଞାପନରୁ ଏକ ନିର୍ବାଚିତ ଛବି ।
Comments are closed.