Latest Odisha News

BREAKING NEWS

ତିରୁପତିରେ ହୃଦୟ ବିଦାରକ ଘଟଣା: ୬ ବର୍ଷର ଶିଶୁକୁ ଖାଇଲା ଚିତା

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କୁ  ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା ନୁହେଁ ଶିଶୁର ଅଧା ଶରୀରକୁ ଚିତା ଖାଇଥିବା ମଧ୍ୟ ଜଣାପଡ଼ିଛି । ମନ୍ଦିର ପରିଦର୍ଶନ କରିବାକୁ ପାଦ ଚଲା ରାସ୍ତାରେ ଶିଶୁଟି ଯାଉଥିବାବେଳେ ଚିତାବାଘ ଆକ୍ରମଣର ଶିକାର ହୋଇଥିଲା । ଏହି ଘଟଣା ଘଟିବା ପରେ ମନ୍ଦିରକୁ ଯାଉଥିବା ସମସ୍ତ ଶ୍ରଦ୍ଧାଳୁ ମାନେ ଆତଙ୍କିତ ହୋଇପଡିଛନ୍ତି ।

ଖବର ଅନୁଯାୟୀ, ତିରୁମାଲାସ୍ଥିତ ଭଗବାନଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ସହ ଗତକାଲି ଏକ ପରିବାର ଆଲିପିରି ପାଦଚଲା ରାସ୍ତାରେ ପାହାଡ଼ ଉପରକୁ ଚଢ଼ିବା ଆରମ୍ଭ କରିଥିଲେ । କିଛି ଘଣ୍ଟା ଚାଲିବା ପରେ ରାତି ପ୍ରାୟ ୧୧ଟା ସମୟରେ ୬ ବର୍ଷୀୟ ଛୋଟ ଶିଶୁ  ଲକ୍ଷିତା ଉପରେ ହଠାତ ଚିତା ବାଘ ଆକ୍ରମଣ କରିଥିଲା । ଏହାଦେଖି ସମସ୍ତ ଶ୍ରଦ୍ଧାଳୁ ପାଟି କରିବା ଆରମ୍ଭ କରିଥିଲେ । ଏହା ପରେ ବାଘଟି ଶିଶୁକୁ ଟାଣି ଟାଣି ଜଙ୍ଗଲ ଭିତରକୁ ନେଇଯାଇଥିଲା ।

ଆଜି ପୋଲିସ ଝିଅର ମୃତଦେହକୁ ଉଦ୍ଧାର କରିଛି  । ଚିତା ବାଘଟି ଶିଶୁଟିର ପାଖାପାଖି ଅଧା ଶରୀର ଖାଇଯାଇଥିବା ସୂଚନା ମିଳିଛି । ମୃତଦେହ ଉଦ୍ଧାର ହେବା ପରେ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଉକ୍ତ ଘଟଣା ଘଟିବା ପରେ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।ଏହି ମାମଲା ପ୍ରଥମ ଘଟଣା ନୁହେଁ  । ଗତ ଏକ ମାସ ମଧ୍ୟରେ ଚିତା ଆକ୍ରମଣ କରିବାର ଏହା ଦ୍ୱିତୀୟ ଘଟଣା । ପୂର୍ବ ଆକ୍ରମଣ ପରେ ପ୍ରଶାସନକୁ ଅନେକ ସ୍ଥାନରେ ସୁରକ୍ଷାକର୍ମୀ ମୂତୟନ ଲାଗି କୁହାଯାଇଥିଲା  । ହେଲେ ପ୍ରଶାସନ କୌଣସି ସତର୍କତା ଅବଲମ୍ବନ କରିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.